କରୋନାରେ ବରିଷ୍ଟ ଓଡ଼ିଆ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (DPIIT) ବିଭାଗ ସଚିବ ତଥା ଓଡ଼ିଆ ପୁଅ ଗୁରୁପ୍ରସାଦ ମହାପାତ୍ର କରୋନାରେ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ପୂର୍ବରୁ ସେ କୋଭିଡ୍ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଗୁରୁପ୍ରସାଦ ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଟନ୍ତି । ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ କନିଷ୍ଠ ପୁତ୍ର ଥିଲେ ଗୁରୁପ୍ରସାଦ ମହାପାତ୍ର।  ସେ ବିଜେବି କଲେଜରୁ ସ୍ନାତକ ଓ ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)ରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପୂର୍ବରୁ ସେ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ବିମାନବନ୍ଦର ପ୍ରାଧିକରଣର ଚେୟାରମ୍ୟାନ୍ ଥିଲେ।  ୧ ଅଗଷ୍ଟ ୨୦୧୯ ରେ ସେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ ‘ମୁଁ ତାଙ୍କ ସହ ଗୁଜୁରାଟ ଏବଂ କେନ୍ଦ୍ରରେ କାମ କରିଥିଲି । ପ୍ରଶାସନିକ ସମସ୍ୟାଗୁଡିକ ବିଷୟରେ ସେ ଭଲ ଭାବରେ ବୁଝିପାରୁଥିଲେ ଏବଂ ତାଙ୍କର ଅଭିନବ ଉତ୍ସାହ ପାଇଁ ସେ ବେଶ ଜଣାଶୁଣା । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଏହି ଦୁଃଖଦ ସମୟରେ ସମବେଦନା ଜଣାଉଛି ।’ ସେହିପରି ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୀୟୁଷ ଗୋୟଲ ମଧ୍ୟ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Related Posts