
ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା କାର୍ଯ୍ୟରତ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।ମାନ୍ୟବର କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ମାତ୍ର ୧ ଟଙ୍କା ଜୋରିମାନା କରିଛନ୍ତି । ସେପ୍ଟେମ୍ବର ୧୫ ସୁଦ୍ଧା ଏହି ୧ ଟଙ୍କା ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜମା ନ କଲେ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ଜୋରିମାନା ଦାଖଲ ନ କଲେ ପ୍ରଶାନ୍ତଙ୍କର ପ୍ରାକ୍ଟିକ୍ସ୍ ଉପରେ ୩ ବର୍ଷ ପର୍ଯ୍ୟନ୍ତ କଟକଣା ରହିବ ବୋଲି କୋର୍ଟ କହିଛନ୍ତି।ନ୍ୟାୟପାଳିକା ଏବଂ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଏସ୍.ଏ. ବୋବଡେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ଦାଖଲ କରାଯାଇଥିଲା। ପ୍ରଶାନ୍ତ ଟୁଇଟ୍ କରି ଏଭଳି ମନ୍ତବ୍ୟ ଦେଇଥିଲେ।
ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର ଅଗଷ୍ଟ ୨୫ରେ ରାୟ ସଂରକ୍ଷିତ ରଖିଥିଲେ। ବାକ୍ ସ୍ବାଧୀନତା ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।ପ୍ରଶାନ୍ତଙ୍କୁ କ୍ଷମାପ୍ରାର୍ଥନା କରିବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନ ଥିଲେ। ତେଣୁ ତାଙ୍କ ପ୍ରତି ଆଇନ ଅନୁସାରେ ଜରିମାନା ଦଣ୍ଡାଦେଶ କରାଯାଇଥିବା କୋର୍ଟ କହିଛନ୍ତି।