ଅଡୁଆରେ ଧର୍ମେନ୍ଦ୍ର !

ସତ୍ୟପାଠ ବ୍ୟୁରୋ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଉଠିଛି ସାଙ୍ଘାତିକ ଅଭିଯୋଗ । ଅଭିଯୋଗଟି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝିଅଙ୍କର ବିଦେଶ ଗସ୍ତ ବେଳେ ଇଂଟରନ୍ୟାସନାଲ୍ ଟେଲିଫୋନ କଲ୍ ପାଇଁ ଭଏସ କାର୍ଡ ଏବଂ ଡାଟା କାର୍ଡ ସିମ୍ ବାବଦରେ ହଜାର ହଜାର ଟଙ୍କାର ଫୋନକଲ୍ ଖର୍ଚ୍ଚକୁ ପେଟ୍ରୋନେଟ୍ ଏଲ.ଏନ.ଜି ନାମକ ରାଷ୍ଟ୍ରାୟତ ଉଦ୍ୟୋଗ ବିଲ୍ ଭରଣା କରିଛି । ଏହି ଖବରଟିକୁ ପ୍ରଥମେ ଭାରତର ଜଣେ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଟୁଇଟର ଏକାଉଂଟରେ ଆଜି ମଧ୍ୟାହ୍ନ ୧.୧୫ ସମୟରେ ପୋଷ୍ଟ କରିଛନ୍ତି । ପ୍ରଶାନ୍ତ ଭୂଷଣ ଟୁଇଟରରେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝିଅଙ୍କର ବ୍ୟକ୍ତିଗତ ଖର୍ଚ୍ଚକୁ ଭରଣା କରିବା ପାଇଁ ପେଟ୍ରୋନେଟ୍ ପରି ଏକ ରାଷ୍ଟ୍ରାୟତ ଉଦ୍ୟୋଗର ଅର୍ଥକୁ କିପରି ଲୁଟ କରାଯାଉଛି ଏହି ଘଟଣା ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ।

ଧର୍ମେନ୍ଦ୍ର ପ୍ରଧାନ ଝିଅଙ୍କର ଇଂଟରନ୍ୟାସନାଲ ଟେଲିଫୋନ କଲ୍ ଖର୍ଚ୍ଚ ବାବଦରେ ୬୮ ହଜାର ୪୨୪ ଟଙ୍କାର ବିଲ୍‌କୁ ପେଟ୍ରୋନେଟ୍ ଏଲ.ଏନ.ଜି ପକ୍ଷରୁ ଭରଣା କରାଯାଇଛି । ଏହି ଖର୍ଚ୍ଚକୁ ସଂସ୍ଥାର ଏମ.ଡି ତଥା ସି.ଇ.ଓ ପ୍ରଭାତ୍ ସିଂହ ମଞ୍ଜୁର କରିଛନ୍ତି ବୋଲି ଟୁଇଟରରେ ଅଭିଯୋଗ ଆଣିଛନ୍ତି । ପ୍ରଶାନ୍ତ ଭୂଷଣ ଏହି ଘଟଣା ସମ୍ପର୍କିତ ଆଉ ଏକ ସାଙ୍ଘାତିକ ଅଭିଯୋଗ ଟୁଇଟରରେ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି ଯେ ଏ ସମ୍ପର୍କରେ ଏକ ମାମଲା ହାଇକୋର୍ଟରେ ଦାୟର ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମନ୍ତ୍ରୀ ପଦର ଦୂରୁପଯୋଗ ଅଭିଯୋଗରେ ଏକ ମାମଲା ମାନ୍ୟବର ଅଦାଲତରେ ଦାୟର ହୋଇଛି । ଏହି ଘଟଣାରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏଯାଏଁ ସିବିସି ପକ୍ଷରୁ ତଦନ୍ତ ଆରମ୍ଭ ନହେବା ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତିକି ବୋଲି ପ୍ରଶାନ୍ତ ଭୂଷଣ ପ୍ରଶ୍ନ କରିଛନ୍ତି । ଏହି ଟୁଇଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କେଉଁ ହାଇକୋର୍ଟରେ ମାମଲା ହୋଇଛି ଏବଂ ସମ୍ପୃକ୍ତ ହାଇକୋର୍ଟ କେଉଁ ତାରିଖରେ ରାୟ ଶୁଣାଇଛନ୍ତି ଏ ସମ୍ପର୍କରେ କିଛିବି ତଥ୍ୟ ପ୍ରଶାନ୍ତ ତାଙ୍କ ଟୁଇଟରରେ ଜଣାଇ ନାହାନ୍ତି ।

ପ୍ରଶାନ୍ତ ଭୂଷଣ ତାଙ୍କ ଟୁଇଟରେ ଇଂଟରନ୍ୟାସନାଲ/ଗ୍ଲୋବାଲ ସିମ୍ ଯୋଗାଇଥିବା ମାଟ୍ରିକ୍ସ କମ୍ପାନୀର ରିଟେଲ୍ ଇନଭଏସର ଦୁଇଟି ବିଲ୍‌ର କପି ଓ ଏହାର ପେମେଂଟ ସଙ୍କ୍ରାନ୍ତୀୟ ପେଟ୍ରୋନେଟ୍ ସଂସ୍ଥାର ଅର୍ଥ ବିଭାଗର ମଞ୍ଜୁରୀ ନୋଟସିଟ୍ କପିକୁ ଟୁଇଟରରେ ପୋଷ୍ଟ କରିଛନ୍ତି । ମାତ୍ର ହାଇକୋର୍ଟର ଅର୍ଡର କପି କିନ୍ତୁ ସେଥିରେ ଦିଆଯାଇ ନାହିଁ । ଭୂଷଣଙ୍କ ଏହି ଟୁଇଟ୍‌ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଯେଉଁ ଡକ୍ୟୁମେଂଟ ଦିଆଯାଇଛି ସେଥିରୁ ଯାହା ଜଣାପଡୁଛିୁ କେନ୍ଦ୍ରମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନଙ୍କ ଝିଅ ୧୬/୦୮/୨୦୧୭ ରୁ ୨୫/୦୮/୨୦୧୭ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇଥିଲେ । ତାଙ୍କର ଏହି ବିଦେଶ ଗସ୍ତ ପାଇଁ ମାଟ୍ରିକ୍ ସଂସ୍ଥା ପକ୍ଷରୁ ଏକ ଗ୍ଲୋବାଲ ସିମ୍ କାର୍ଡ ଦିଲ୍ଲୀ ଏୟାରେପାର୍ଟରେ ଦିଆ ଯାଇଥିଲା । ଏ ବାବଦ ଖର୍ଚ୍ଚ ଦୁଇଟି ଇନଭଏସ୍ ଯଥା..

RGLO10718N4569 -Rs-62928.56
RGLO101718N4582 -Rs- 5497.77
——————-
Total-68426.33

ସରକାରୀ ଭାବରେ ପେଟ୍ରୋନେଟ ୧୭ ଫେବୃୟାରୀ ୨୦୧୮ ରେ ମଞ୍ଜୁର କରିଥିଲା । କେନ୍ଦ୍ରମନ୍ତ୍ରୀ ନିଜ ପଦବୀ ଏବଂ କ୍ଷମତାର ଦୁରୁପୋଯୋଗ କରିଛନ୍ତି ବୋଲି ପ୍ରଶାନ୍ତ ଭୂଷଣ ଯେଉଁ ଅଭିଯୋଗ ଆଣିିଛନ୍ତି ଯଦି ତାହା ସତ୍ୟ ହୋଇଥାଏ ତେବେ ସାଂଘାତିକ୍ । ଅଭିଯୋଗରେ ଥିବା ଅର୍ଥରାଶିର ପରିମାଣ ୬୮ ହଜାର ହୋଇଥିବାରୁ ସୋସିଆଲ ମିଡିଆରେ ଅନେକ ଏହାକୁ ଏକ ଛୋଟିଆ ଘଟଣା ବୋଲି ତୁଳନା କରିବା ସହ ପ୍ରଶାନ୍ତ ଭୂଷଣଙ୍କ ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତିି । ତେବେ ଅଭିଯୋଗର ପରିମାଣ କମ୍ ବା ଅଧିକ ହେଉ ଯେଉଁ ଅଭିଯୋଗଟି ଉଠିଛି ତାହା କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜଣେ ମନ୍ତ୍ରୀଭାବରେ ଏହା ସମ୍ପୂର୍ଣ୍ଣ ଅନୁଚିତ୍ କାର୍ଯ୍ୟ ବୋଲି ଅନେକ ମତ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ଅଭିଯୋଗର ସତ୍ୟାସତ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏପରିକି ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଟୁଇଟର କିମ୍ବା ଫେସବୁକରେ ଏ ଅଭିଯୋଗ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ ।

Related Posts