କଟକଣା ଭିତରେ ପୂଜା ପାଇବେ ମା ଦୁର୍ଗା

ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ହେବ ବୋଲି ପୂଜା କମିଟି କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ପରେ କମିଶନେରେଟ ପୋଲିସ ପକ୍ଷରୁ କୁହାଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ । ପୂଜାରେ କୌଣସି ପ୍ରକାର ଆଡମ୍ବର ହେବନାହିଁ କି ଡାକବାଜି ଯନ୍ତ୍ରର ବ୍ୟବହାର ହୋଇପାରିବନି ।

ତେବେ ରାବଣପୋଡ଼ି ଅନୁଷ୍ଠିତ ହେବନାହିଁ କିମ୍ବା କୌଣସି ମଣ୍ଡପରେ ତୋରଣ ନିର୍ମାଣ କରାଯାଇପାରିବନି । ଲୋକମାନଙ୍କୁ ମଣ୍ଡପ ନ ଆସି ଘରେ ପୂଜା କରିବାକୁ କୁହାଯାଇଛି । ମଣ୍ଡପରେ ମନ୍ତ୍ରପାଠ ସମୟରେ ମାଇକ ବାଜିବ କି ନାହିଁ ସେ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ । ପୂଜାରେ ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ ।କମିଟି ପକ୍ଷରୁ ପୂଜା ପାଇଁ ଲୋକଙ୍କ ଠାରୁ ଘର ଘର ବୁଲି ଚାନ୍ଦା ଆଦାୟ କରାଯାଇପାରିବନି । ଯଦି କେହି ସ୍ୱଇଚ୍ଛାରେ ପୂଜା ପାଇଁ ଚାନ୍ଦା ଦେଉଥାନ୍ତି ତାହା ଗ୍ରହଣ କରାଯାଇପାରିବ ସେହିପରି କୌଣସି ପ୍ରକାର ଭସାଣ ଉତ୍ସବକୁ ମଧ୍ୟ ଅନୁମତି ମିଳିବନାହିଁ । କେବଳ ମୂର୍ତ୍ତି ବିସର୍ଜନ କରିବାକୁ ଅନୁମତି ଦିଆଯିବ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।ସେପଟେ କଟକ ସହରର ବାଲୁବଜାର ପୂଜା କମିଟିକୁ ମଣ୍ଡପରେ ଦୁର୍ଗାପୂଜା କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି  ।

ରାଜ୍ୟ ଓ କେନ୍ଦ୍ର ସରକାର ଲାଗୁ କରିଥିବା କରୋନା କଟକଣାକୁ ମାନି ଏହି ପୂଜା ଉତ୍ସବ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହ ମଣ୍ଡପ ନିକଟରେ ଯେପରି ଲୋକଙ୍କ ଅଯଥା ଭିଡ଼ ନ ହେବ ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି ।ଏହି ଅବସରରେ ମଣ୍ଡପରେ ଦୁର୍ଗାପୂଜା କରିବାକୁ ଜିଲ୍ଲାପାଳ ଘୋଷଣା କରିଥିବା ନେଇ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଏଥିସହ କରୋନା କଟକଣାର ନିୟମ ମଧ୍ୟରେ ମଣ୍ଡପରେ ପୂଜା କରିବାକୁ କମିଟି ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ପ୍ରତିଶ୍ରୁତି ଦିଆଯାଇଛି ।

Related Posts