ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ବିବାଦ । ତେବେ ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ନିୟମ ଉଲ୍ଲଂଘନ ଓ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପ୍ରତି ଅବିଚାର ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଉଚ୍ଚଶିକ୍ଷା ବିଭାଗ ଓ ଓଙ୍ଗ଼ିଶା ଲୋକସେବା ଆୟୋଗକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିଭାଗରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ସଂରକ୍ଷିତ ବର୍ଗରେ ନିଯୁକ୍ତି ପାଇଁ ବରଖାସ୍ତ କରିଥିବାର ପ୍ରାର୍ଥୀଙ୍କୁ ସାଧାରଣ ବର୍ଗଙ୍କ ପାଇଁ ଥିବା ପଦବିରେ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ଜାଣିବାକୁ ପାଇଥିଲେ ଆବେଦନକାରୀ । ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପ୍ରତି ଅବିଚାର କରି ଓ ନିୟମ ଉଲ୍ଲଂଘନ କରି ଓପିଏସସି ତରଫରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଆବେଦନକାରୀଙ୍କ ତରଫରୁ ଆଇନଜୀବି ସୁରଭି ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





