ରାମ ଜନ୍ମଭୂମି ଟ୍ରଷ୍ଟ ଉପରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ : ସମାଜବାଦୀ ଓ ଆମ୍ ଆଦମୀ ପାର୍ଟିର ସିବିଆଇ ତଦନ୍ତ ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି। ଟ୍ରଷ୍ଟ କୋଟି କୋଟି ଟଙ୍କାର ଜମି ଦୁର୍ନୀତି କରିଥିବା ନେଇ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖପାତ୍ର ପୱନ ପାଣ୍ଡେ ଅଭିଯୋଗ କରିଛନ୍ତି। ଅନେକ ଦଲିଲ ସହ ସେ ଏହି ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଟ୍ରଷ୍ଟ ଜଣେ ବ୍ୟକ୍ତିଙ୍କ ଠାରୁ ସେହି ଜମିକୁ ୨ କୋଟି ଟଙ୍କାରେ କିଣିଥିଲେ, ମାତ୍ର କିଛି ମିନିଟ୍ ପରେ ଟ୍ରଷ୍ଟ ଏହି ଜମିକୁ ୧୮ କୋଟି ଟଙ୍କାରେ ବିକ୍ରି କରିଦେଇଥିବା ନେଇ ସପା ମୁଖପାତ୍ର ପୱନ ପାଣ୍ଡେ ଅଭିଯୋଗ କରିଛନ୍ତି। ପୱନ ପାଣ୍ଡେ ପ୍ରଶ୍ନ କରିଛନ୍ତି ଯେ ଜମିର ଦାମ କିଛି ମିନିଟ୍ ମଧ୍ୟରେ କିପରି ୨ କୋଟିରୁ ୧୮ କୋଟି ହୋଇଗଲା। ସପା ନେତା କହିଛନ୍ତି, ” ୧୮ ମାର୍ଚ୍ଚ ୨୦୨୧ ସଂନ୍ଧ୍ଯା ୭.୦୫ ମିନିଟ୍ ରେ ସୁଲତାନ ଅନସାରୀ ଓ ରବି ମୋହନ ତିୱାରୀଙ୍କ ନାମରେ ଏହି ଜମିକୁ କିଣାଯାଇଥିଲା। ଏହାର ଠିକ୍ ୧୧ ମିନିଟ୍ ପରେ ୭.୧୬ ମିନିଟ୍ ରେ ରାମ ଜନ୍ମ ଭୂମି ଟ୍ରଷ୍ଟ ସାଢେ ୧୮ କୋଟି ଟଙ୍କାରେ ଏହାକୁ କିଣିଛି। RTGS ୧୭ କୋଟି ଟଙ୍କା କରିଛି। ମାତ୍ର କିଛି ମିନିଟ୍ ମଧ୍ୟରେ ୨ କୋଟି ଟଙ୍କାରେ କିଣାଯାଇଥିବା ଜମି ହଠାତ୍ କେଉଁ ସୁନା ଦେବା ଆରମ୍ଭ କଲା ଯେ କିଛି ମିନିଟ୍ ପରେ ଦୁଇ କୋଟି ଟଙ୍କା ମୂଲ୍ୟର ଜମି ସାଢେ ଅଠର କୋଟିରେ କିଣାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏବଂ ତାଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟ୍ ଅଛି ବୋଲି ସେ କହିଛନ୍ତି। ” ବର୍ତ୍ତମାନ ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୱନ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଟ୍ରଷ୍ଟ ଲଗାତର ଭାବରେ ଏଭଳି ଦୁର୍ନୀତି କରୁଛି, ଏଭଳି ପରିସ୍ଥିତିରେ ଟ୍ରଷ୍ଟ କିଣିଥିବା ସମସ୍ତ ଜମିର ଯାଞ୍ଚ କରାଯିବା ଉଚିତ ବୋଲି ସେ କହିଛନ୍ତି। ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରୁଥିବା ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଜମି କିଣିବା ନାଁରେ କୋଟି କୋଟି ଟଙ୍କା ଠକେଇ କରାଯାଇଛି ବୋଲି ବରିଷ୍ଠ ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି।  ସେ ଏହି ମାମଲାରେ ସିବିଆଇ କିମ୍ବା ଇଡି ଯାଞ୍ଚ ପାଇଁ ମଧ୍ୟ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟି ସାସଂଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ”  ଅଯୋଧ୍ୟାରେ ଗାଟା ନମ୍ବର ୨୪୩,୨୪୪,୨୪୬ ଜମି ଯାହାର ମୂଲ୍ୟ ପାଞ୍ଚ କୋଟି ଅଶୀ ଲକ୍ଷ ଟଙ୍କା , ସେହି ଜମିକୁ କୁସୁମ ପଠାକଙ୍କ ଏବଂ ହରିଶ ପଠକଙ୍କ ଠାରୁ ସୁଲତାନ ଅନସାରୀ ଏବଂ ରବି ମୋହନ ତିୱାରୀ ଦୁଇ କୋଟି ଟଙ୍କାରେ କିଣିଥିଲେ। ଏହି ଜମି କିଣାରେ ଦୁଇଜଣ ସାକ୍ଷୀ ଥିଲେ, ଜଣେ ଅନିଲ ମିଶ୍ର ଏବଂ ଅନ୍ୟ ଜଣେ ସାକ୍ଷୀ ଋଷିକେଶ ଉପାଧ୍ୟାୟ ଯିଏ ଅଯୋଧ୍ୟାର ମେୟର। ପାଞ୍ଚ ମିନିଟ୍ ପରେ, ଏହି ଜମିକୁ ୧୮ କୋଟି ଟଙ୍କାରେ ରାମଜନ୍ମ ଭୂମି ଟ୍ରଷ୍ଟ କିଣିଛି। ୧୭  କୋଟି ଟଙ୍କା RTGS କରାଯାଇଛି।  ଜମିର ମୂଲ୍ୟ ପ୍ରତି ସେକେଣ୍ଡରେ ପ୍ରାୟ ସାଢେ ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ସେ ଅଭିଯୋଗ କରିଛନ୍ତି ଯେ ଭଗବାନ ଶ୍ରୀ ରାମଙ୍କ ନାଁରେ ଜମିର ମୂଲ୍ୟ ଯେଉଁ ବେଗରେ ବଢିଛି ତାହା ଏକ ସ୍ବତନ୍ତ୍ର ରେକର୍ଡ । ସୁଲତାନ ଏବଂ ରବି ମୋହନ ତିୱାରୀ ଏହି ଜମି କିଣିଥିବା ସମୟରେ ଅନିଲ ମିଶ୍ର ଏବଂ ଋଷିକେଶ ତିୱାରୀ ସାକ୍ଷୀ ଥିଲେ ଏବଂ ସମେନେ ମଧ୍ୟ ସୁଲତାନ ଏବଂ ରବି ମୋହନ ତିୱାରୀଙ୍କ ଠାରୁ ଟ୍ରଷ୍ଟ କିଣିବା ସମୟରେ ସାକ୍ଷୀ ଥିଲେ। ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଥିବା କୋଟି କୋଟି ଭକ୍ତଙ୍କୁ ନିଶ୍ଚୟ ଆଘାତ ଲାଗିଥିବ ବୋଲି ସଞ୍ଜୟ ସିଂ କହିଛନ୍ତି। ” ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାମ ମନ୍ଦିର ନିର୍ମାଣର ତଦାରଖ ତଥା ପରିଚାଳନା ପାଇଁ ମୋଦୀ ସରକାର ଫେବୃଆରୀ ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଟ୍ରଷ୍ଟ ଗଠନ କରାଯାଇଥିଲା। ଏହାର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ କେନ୍ଦ୍ର ଦ୍ୱାରା ମନୋନୀତ ହୋଇଥିଲେ।

Related Posts