ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର | ହୀରାକୁଦ ଜଳଭଣ୍ଡାରରେ କ୍ରୁଜ ବୋଟିଂର ହୋଇଛି ଶୁଭାରମ୍ଭ | ଏକ ବେସରକାରୀ ସଂସ୍ଥା ପକ୍ଷରୁ ବୋଟିଂ ର ଶୁଭାରମ୍ଭ କରାଯାଇଥିବା ବେଳେ, ଡ୍ୟାମର ରାଇଟ ଡାଇକ ପାର୍ଶ୍ବରେ ଏହି ସେବା ଆରମ୍ଭ ହୋଇଛି |
ବର୍ଷକର ଦିନ ତମାମ ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ ସମେତ ଏହାର ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ମଧ୍ୟ ଲୋକେ ବୁଲିବା ଆସିଥାନ୍ତି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାରର ରାଇଟ ଡାଇକ ତଥା ଝାଙ୍କରାଣୀ ମନ୍ଦିର ନିକଟ ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ପାଇଁ କ୍ରୁଜ ବୋଟିଂର ବ୍ୟବସ୍ଥା କରାଯାଇଛି। ଯାହା ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ଫର୍ଦ୍ଦରେ ଯୋଡ଼ି ହୋଇଛି। ଅକେଲା ଏଡ଼ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ଏହି ସେବା ଆରମ୍ଭ କରିଛି। ତେବେ କୌଣସି ପ୍ରକାର ପାର୍ଟି ଏହି ବୋଟକୁ ବ୍ୟବହାର କରିହେବ। ପ୍ରତ୍ୟେକ ଦିନ ସକାଳ 8 ରୁ ଏହି ସେବା ଉପଲବ୍ଧ ହେବ। ପର୍ଯ୍ୟଟକ ମାନେ ଘଣ୍ଟେ ଅଥବା 2 ଘଣ୍ଟା ପାଇଁ ଏହି କ୍ରୁଜ ବୋଟକୁ ବୁକ କରି ପାରିବେ। ଏହି କ୍ରୁଜ ବୋଟ ଭିତରେ ବଡ଼ ହୋଟେଲ ପରି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିସହ ମ୍ୟୁଜିକ ସିଷ୍ଟମର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଏହି କ୍ରୁଜ ବୋଟକୁ ବୁକ କରିବାକୁ ହେଲେ ଅଧାଘଣ୍ଟା ପାଇଁ 7 ହଜାର ପେମେଣ୍ଟ କରିବାକୁ ହେବ। ସେହିଭଳି ଘଣ୍ଟେ ପାଇଁ 12 ହଜାର ଓ 2 ଘଣ୍ଟା ପାଇଁ 15 ହଜାରର ଦେୟ ସଂସ୍ଥା ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି। ଏତଦବ୍ୟତୀତ ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ 4ଟାରେ ଏହି ବୋଟ ଥରକ ପାଇଁ ଏକ ଘଣ୍ଟିଆ ରାଉଣ୍ଡ ମାରିବ ଯେଉଁଥିରେ ସାଧାରଣ ପର୍ଯ୍ୟଟକ ଜଣକ 400 ଟଙ୍କା ଲେଖାଏଁ ଦେଇ ଏହି କ୍ରୁଜ ବୋଟିଂର ମଜା ନେଇ ପାରିବେ।
