ଓଡ଼ିଶା ସମେତ 3 ରାଜ୍ୟକୁ ଘୂର୍ଣ୍ଣିଝଡ଼ ବିପଦ, 72 ଘଣ୍ଟା ଭିତରେ ଆନ୍ଧ୍ର ଉପକୂଳ ଛୁଇଁବ ‘ପେଥାଇ’

ଆନ୍ଧ୍ରପ୍ରଦେଶରେ ଏବେ ଘୂର୍ଣ୍ଣିଝଡ଼ ‘ପେଥାଇ’ର ବିପଦ ଲୋକଙ୍କୁ ଡରାଉଛି । ଏହି ଘୂର୍ଣ୍ଣିଝଡ଼ ଫଳରେ ପ୍ରବଳ କ୍ଷୟକ୍ଷତିର ଆଶଙ୍କା କରାଯାଉଛି । ଆମ ରାଜ୍ୟ ଓଡ଼ିଶାରେ ବି ପ୍ରବଳ ବର୍ଷାର ଅନୁମାନ କରାଯାଉଛି ।

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘୂର୍ଣ୍ଣିଝଡ଼ର ରୂପ ନେଇଛି । ଯାହା ଫଳରେ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ବିପଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ‘ପେଥାଇ’ଘୂର୍ଣ୍ଣିଝଡ଼ ଏବେ ମଛଲୀପଟ୍ଟନମ୍‌ରୁ ପ୍ରାୟ 1300 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଆଗାମୀ 72 ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଧକ୍କା ଖାଇବ ଘୂର୍ଣ୍ଣିଝଡ଼ ‘ପେଥାଇ’ ।

ଆନ୍ଧ୍ରପ୍ରଦେଶର ଉପକୂଳରେ ଥିବା ଆଙ୍ଗୋଲ ଓ କାକିନାଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ‘ପେଥାଇ’ ଏହାର ପ୍ରଭାବରେ ସମୁଦ୍ର ଅସ୍ଥିର ହୋଇଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି 70ରୁ100 କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ସମୁଦ୍ରରେ ଉଚ୍ଚ ଲହରୀ ଆସିବାର ସମ୍ଭାବନା ଅଛି । ଏହି ଘୂର୍ଣ୍ଣିଝଡ଼ର ପ୍ରଭାବ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ, ଆମ ରାଜ୍ୟ ଓଡ଼ିଶା ଓ ଶ୍ରୀଲଙ୍କାରେ ମଧ୍ୟ ଦେଖାଯିବ ।

ପାଣିପାଗ ବିଭାଗ ଅନୁସାରେ, ଘୂର୍ଣ୍ଣିଝଡ଼ ଆସିବା ପୂର୍ବରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ 13 କିମି ବେଗରେ ପବନ ବୋହୁଛି । ପବନର ବେଗ ଆଗକୁ ଅଧିକ ବଢ଼ିବ । ଆଗାମୀ କିଛି ଦିନ ପାଇଁ ସମୁଦ୍ର ମଧ୍ୟକୁ ନ ଯିବାକୁ ଧୀବର ମାନଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।

Related Posts