କର୍ଣ୍ଣାଟକ ଚାମରାଜ ଜିଲ୍ଲାର ସୁଲ୍ବାଡ଼ି ଗାଁରେ ଶୁକ୍ରବାର ଲୋକଙ୍କ ଉପରେ ଭୋଗ ଖାଇବା ଆଣିଲା ବଡ଼ ବିପଦ । ଗୋଟିଏ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନର ପୂଜାରେ ହୋଇଥିବା ଭୋଗ ଖାଇ 10 ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । 80ରୁ ଅଧିକ ଲୋକ ଗୁରୁତର ହୋଇପଡ଼ିଛନ୍ତି ।
ପ୍ରସାଦ ଭାବେ ଭକ୍ତମାନଙ୍କୁ ଚାଉଳରୁ ତିଆରି ପୁଲିହୋରା ଦିଆଯାଇଥିଲା । ଯାହାକୁ ଖାଇବା ପରେ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଲେ । ପେଟ ଯନ୍ତ୍ରଣା ହେବା ସହ ବହୁ ଲୋକଙ୍କୁ ବାନ୍ତି ହେଲା । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଥିଲେ ବି 10 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏମାନଙ୍କ ମଧ୍ୟରେ 2 ଜଣ ଛୋଟ ପିଲା ବି ଅଛନ୍ତି । ଏହି ଭୋଗ ଖାଇଥିବା ବହୁ ସଂଖ୍ୟାରେ କୁଆ ବି ମରି ପଡ଼ିଥିବା ଦେଖାଯାଇଛି ।
ଖବର ପାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଲୋକମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ଯାଇ ଅସୁସ୍ଥ ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫରେନ୍ସିକ୍ ବିଭାଗ ପକ୍ଷରୁ ତଦନ୍ତ ପାଇଁ ପ୍ରସାଦର ନମୁନା ଲ୍ୟାବ୍କୁ ପଠାଯାଇଛି ।