ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ : ଆଇସିୟୁରେ ଭର୍ତ୍ତୀ

ସତ୍ୟପାଠ ବ୍ୟୁରୋ : ପଦ୍ମଶ୍ରୀ ଡି ପ୍ରକାଶ ରାଓ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତୀ କରାଯାଇଛି । ତାଙ୍କୁ ମେଡିସିନ ବିଭାଗ ଆଇସିୟୁରେ ରଖାଯାଇଛି ।

ଅନୁଗୁଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମେଡିକାଲ ତରଫରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଏବେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ଜଣାପଡିଛି । ଡାକ୍ତରଖାନାରେ ତାଙ୍କୁ ଚୌଦାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଭେଟିବା ସହ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ।

ଡି.ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଚା’ ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢ଼ାନ୍ତି । ଏହା ସହିତ ସମାଜସେବା ମଧ୍ୟ କରନ୍ତି । ଏଥିପାଇଁ ସେ ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ‘ମନକି ବାତ୍‌’ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିବା ପରେ ସେ ଲୋକଲୋଚନକୁ ଆସିଥିଲେ । ଏହା ସହିତ କଟକ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ । ପରବର୍ତ୍ତୀ ସମୟରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Related Posts