‘ଦାମ’ଙ୍କୁ ସାଇଡ୍‌ ମାରିଲେ ‘ବୈଜୟନ୍ତ’

ନବୀନଙ୍କ ପାଖରେ ପଣ୍ଡାଙ୍କର ‘400 କୋଟି’ ଲୋଭ:ଦାମ

ବିଜେଡିରୁ ତଡ଼ା ଖାଇବା ପରେ ପ୍ରତିଦିନ ନୂଆ ରଙ୍ଗ ଧରୁଛି ଉଭୟ ଦାମ ଓ ବୈଜୟନ୍ତଙ୍କ ରାଜନୀତି । ପ୍ରଥମେ କିଛି ଦିନ ଧରି ବୈଜୟନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଲା । ସେହିପରି ଦାମଙ୍କୁ ନେଇ କଂଗ୍ରେସ ଓ ବିଜେପିରେ ବି ଚାଲିଲା ଅଙ୍କ କଷାକଷି । ତା ପରେ ନୂଆ ଦଳ ଗଠନକୁ ନେଇ ଚାଲିଛି ତର୍କ ବିତର୍କ ।

ଦାମଙ୍କୁ ତାଙ୍କ ବାସଭବନରେ ବୈଜୟନ୍ତି ଭେଟି କଥାବାର୍ତ୍ତା ପରେ ଲାଗୁଥିଲା ଏ ଦୁଇ ଜଣ ମିଶି ବିଜୁ ବାବୁଙ୍କ ନାଁରେ ଆଉ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବେ । କିନ୍ତୁ ହଠାତ୍‌ କ’ଣ ହେଲା କେଜାଣି, ଦାମ ବାବୁଙ୍କର ମୟୂରଭଞ୍ଜ ଜନସଭାକୁ ଶେଷ ମୁହୂର୍ତ୍ତରେ ଆସିଲେ ନାହିଁ ବୈଜୟନ୍ତ । ତା’ପରଠାରୁ ଦାମଙ୍କୁ ଆଉ ଧରା ଦେଉନାହାନ୍ତି ବୈଜୟନ୍ତ ।

ଏପଟେ ଦାମ ବାବୁ କିନ୍ତୁ ନୂଆ ଦଳ ଗଠନ କରିବା ନେଇ ଏକପ୍ରକାର ଗଣମାଧ୍ୟମକୁ କଥା ଦେଇସାରିଲେଣି । ଦଳର ନାଁ କ’ଣ ହେବ ସେ ନେଇ ମଧ୍ୟ ସୂଚନା ଦେଇ ସାରିଲେଣି । ଖୁବ୍‌ ଶୀଘ୍ର ‘ବିଜୁ ସମତା କ୍ରାନ୍ତି ଦଳ’ ଟାଇଟଲ୍‌ରେ ନୂଆ ରାଜନୈତିକ ଦଳ ଗଠନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି ଦାମୋଦର ରାଉତ । ନୂଆ ଦଳରେ ବୈଜୟନ୍ତ ରହୁନାହାନ୍ତି, ଏ ବାବଦରେ ଦାମ ବାବୁଙ୍କର ଏକ ଷ୍ଟିଙ୍ଗ ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।

ଏ ଭିଡିଓରେ ଦାମ ବାବୁ, ରାଗିକରି ନ ହେଲେ ବି ଗେହ୍ଲ ଗେହ୍ଲରେ ବୈଜୟନ୍ତଙ୍କୁ ଜାଳି ଦେଇଛନ୍ତି । ‘ମୁଁ ଖଣ୍ଡାୟତ ପିଲା, ବୈଜୟନ୍ତ ବ୍ରାହ୍ମଣ ଛୁଆ, ତେଣୁ ମୁହଁ ଖୋଲି ନିଷ୍ପତ୍ତି ନେଇପାରୁନାହାନ୍ତି । ଅତୀତରେ ତାଙ୍କ କମ୍ପାନୀ 2300 କୋଟି ଟଙ୍କା ଛାଡ଼ ପାଇଥିଲା । ଏବେ ଆଉ 400 କୋଟି ଟଙ୍କା ଛାଡ଼ ପାଇବା ଆଶାରେ ନବୀନଙ୍କୁ ବୈଜୟନ୍ତ ପୁରାପୁରି ଛାଡ଼ିପାରୁନାହାନ୍ତି ବୋଲି କହିଛନ୍ତି ଦାମ ବାବୁ ।

ବୈଜୟନ୍ତଙ୍କର ଚାହା ଖଟି ରାଜନୀତି ‘ହେଇଯାଉ’ କାର୍ଯ୍ୟକ୍ରମକୁ ଦାମ ବାବୁ କଡ଼ା ସମାଲୋଚନା କରିଛନ୍ତି । ବୈଜୟନ୍ତ କୁଆଡ଼େ ନିଜର 40-50 ଟୋକାଙ୍କୁ ପୂର୍ବରୁ ଚାହା ଦୋକାନକୁ ପଠାଇ ତା ପରେ ନିଜେ ପହଞ୍ଚି କିଛି ଲୋକଙ୍କୁ ମାଗଣାରେ ଚାହା ପିଆଇ ରାଜନୀତି କରୁଛନ୍ତି । ଯଦି ପ୍ରକୃତରେ ରାଜନୀତି କରିବାର ଇଚ୍ଛା ଅଛି, ତେବେ ଚାହା ଦୋକାନରେ ନୁହେଁ ରାସ୍ତା ଉପରକୁ ଆସି ରାଜନୀତି କରିବାକୁ ବୈଜୟନ୍ତଙ୍କୁ ଆହ୍ବାନ ଦେଇଛନ୍ତି ଦାମୋଦର ।

ଏହି ଭିଡ଼ିଓରେ ବଡ଼ ଚତୁରତାର ସହ ଜାତି କାର୍ଡ ବି ଖେଳିଛନ୍ତି ଦାମ । ‘ମୁଁ ଖଣ୍ଡାୟତ ପିଲା, ତେଣୁ ଲୋକଙ୍କୁ ଭୟ ନ କରି ରାସ୍ତା ଉପରେ ରାଜନୀତି କରୁଛି । କିନ୍ତୁ ବୈଜୟନ୍ତ ବ୍ରାହ୍ମଣ ପିଲା ହୋଇଥିବାରୁ, ତେଣୁ ସାହସ ଜୁଟାଇ ପାରୁନାହାନ୍ତି । ’

Related Posts