‘ଟିପ୍‌ ଦେଇପାରିବେ, ଉଡ଼ିବନି ଟଙ୍କା’: ମୁମ୍ବାଇରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌

ମୁମ୍ବାଇରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌ । ମହାରାଷ୍ଟ୍ରରେ ଡ୍ୟାନ୍ସ ବାର୍‌ଗୁଡିକୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । କିଛି ସର୍ତ୍ତ ସହ ଡ୍ୟାନ୍ସବାରଗୁଡିକୁ ଅନୁମତି ଦେଇଛନ୍ତି କୋର୍ଟ । ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ସଂପର୍କିତ 2016 ଆଇନକୁ ବୈଧ ବୋଲି ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଏହି କଡ଼ା ଆଇନକୁ କୋହଳ କରି ସର୍ବୋଚ୍ଚ ଅଦାଲତ ଏଥିରେ ଏକାଧିକ ସଂଶୋଧନ ଆଣିଛନ୍ତି । ଡ୍ୟାନ୍ସ ବାର୍‌ରେ ଟଙ୍କା ଉଡ଼ାଇ ହେବ ନାହିଁ । କିନ୍ତୁ ବାର୍ ଗାର୍ଲମାନଙ୍କୁ ଟିପ୍ ଦେଇହେବ ।
ବାର୍‌ରେ କୌଣସି ଅଶ୍ଲୀଳତା ଯେପରି ନ ରହେ, ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଆଇନ୍‌ରେ ଅଶ୍ଲୀଳତା ବିରୋଧରେ 3 ବର୍ଷ ଜେଲ୍ ଦଣ୍ଡାଦେଶ ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁମ୍ବାଇରେ ଡ୍ୟାନ୍ସ ବାର୍‌ଗୁଡିକ ବର୍ତ୍ତମାନ ସଂଧ୍ୟା 6 ଟାରୁ ରାତି ସାଢେ 11ଟା ଯାଏଁ ଖୋଲା ରହିବ । ଏଥିସହ ବାର୍‌ରେ ମଦ ପରସାଯାଇପାରିବ ବୋଲି ମଧ୍ୟ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଡ୍ୟାନ୍ସ ବାର୍‌ରେ ସିସିଟିଭି ଲଗାଯିବା ଜରୁରୀ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ମୁମ୍ବାଇ ଭଳି ଅଞ୍ଚଳରେ ଧାର୍ମିକ ଓ ଶିକ୍ଷାନୁଷ୍ଠାନଠାରୁ 1 କିଲୋମିଟର ଦୂରରେ ଡ୍ୟାନ୍ସ ବାର୍ ରହିବ । କୋର୍ଟ କହିଛନ୍ତି ଯେ ଡ୍ୟାନ୍ସରଙ୍କ ବେତନ ଧାର୍ଯ୍ୟ କରିବା ଉଚିତ୍ ହେବ ନାହିଁ । ଏହା କେବଳ ମାଲିକ ଓ ଡ୍ୟାନ୍ସରଙ୍କ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟ ଉପରେ ନିର୍ଭର କରେ । ଡ୍ୟାନ୍ସବାର୍‌ରେ ସିସିଟିଭି ଲଗାଇବା ନିୟମ ଅଗ୍ରାହ୍ୟ କରିଦେଇଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.କେ ସିକ୍ରିଙ୍କ ଅଧ୍ୟକ୍ଷତରେ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କ 2016 ଆଇନ୍‌ରେ ବୈଧତା ବିରୋଧରେ ଆଗତ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

Related Posts