ଗଡିଲା ଆଉ ଗୋଟେ ୱିକେଟ୍

jogesh singh suspended from congress

ଭୁବନେଶ୍ୱର- ଓଡିଶା କଂଗ୍ରେସରେ ଅଲ ଇଜ୍ ନଟ୍ ୱେଲ୍ । ତିନି ରାଜ୍ୟରେ ଶାସନ କ୍ଷମତାକୁ ଦଳ ଫେରିବା ପରେ ଓଡିଶାରେ ଏହାର ଭଲ ପ୍ରଭାବ ପଡିବ ବୋଲି ଆଶା କରାଯାଉଥିଲା । ହେଲେ ଲାଗୁଛି ଏଠି ମେଳି ନାହିଁ ବରଂ ଯିଏ ଯାହା ହାତରେ ଚଉଦ ପା’ । ଦିନକୁ ଦିନ ଏମିତି ପରିସ୍ଥିିତି ବଢ଼ି ଚାଲିଥିବା ବେଳେ ଆଜି ଦଳ ବିରୋଧୀ ମନ୍ତବ୍ୟ ପାଇଁ ସସପେଣ୍ଡ ହୋଇଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ।

ଏଆଇସିସିର ଅନୁମୋଦନ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏହି ସୂଚନା ଦେଇଛନ୍ତି । ବାରମ୍ବାର ଗଣମାଧ୍ୟମରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଦ୍ୱାରା ଦଳର ଭାବମୂର୍ତ୍ତୀରେ ଆଂଚ ଆସୁଥିଲା । ଏନେଇ ଗତକାଲି ଶୃଙ୍ଖଳା କମିଟି ବୈଠକ ବସିଥିବା ବେଳେ ୨୪ ଘଂଟା ଭିତରେ ଉତ୍ତର ରଖିବାକୁ ଯୋଗେଶଙ୍କୁ ଦଳ କାରଣ ଦର୍ଶାଅ ନୋଟିସ ଦେଇଥିଲା । ଉତ୍ତର ନମିଳିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଅନନ୍ତ କହିଛନ୍ତି ।

ସେପଟେ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଯୋଗେଶ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା କଣ ଦଳ ବିରୋଧୀ କାର୍ଯ୍ୟ ବୋଲି କହି ପ୍ରଶ୍ନ ପ୍ରଚାରିଛନ୍ତି ଯୋଗେଶ । ନିଜ ଅଂଚଳରେ ବିକାଶ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶଂସା କରିବାରେ ସମସ୍ୟା କଣ ବୋଲି ବି କହିଛନ୍ତି ସେ । ଏହାଛଡା ଦରକାର ପଡିଲେ ବିଧାୟକ ପଦ ଛାଡିବାକୁ ଯୋଗେଶ କହିଥିବା ବେଳେ ବିଜେଡିରୁ ଅଫର ଆସିନି , ଆସିଲେ ଚିନ୍ତା କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Related Posts