ଭୟଙ୍କର ଷଡ଼ଯନ୍ତ୍ର, ଗଙ୍ଗାଜଳରେ ବିଷ ମିଶାଇ କୁମ୍ଭରେ ଖେଳାଇଥାନ୍ତେ ଆତଙ୍କ

ବୁଧବାର ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ ନିରୋଧୀ ସ୍କ୍ବାର୍ଡ ବା ଏଟିଏସ୍‌ ଦ୍ବାରା ଗିରଫ ହୋଇଥିବା 9 ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବାବଦରେ ହୋଇଛି ଏକ ବଡ଼ ଖୁଲାସା । ଏମାନେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ମିଶିବାକୁ ଯୋଜନା କରିଥିବା ତ ଜଣାପଡ଼ିଥିଲା, ସେମାନଙ୍କୁ ପ୍ରାଥମିକ ଜେରା ପରେ ଯେଉଁ କଥା ସାମ୍ନାକୁ ଆସିଛି ତାହା ତଦନ୍ତକାରୀ ସଂସ୍ଥାର ହୋସ୍‌ ଉଡ଼ାଇଦେଇଛି ।

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ ଏମାନେ ଭୟଙ୍କର କାଣ୍ଡ କରିଥାନ୍ତେ । ଏଥିପାଇଁ କରିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ଗଙ୍ଗା ଜଳ ଓ ଖାଦ୍ୟରେ ରାସାୟନିକ ବିଷ ପଦାର୍ଥ ମିଶାଇ କୁମ୍ଭ ମେଳାରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଥିଲେ ଏମାନେ । 9 ଜଣ ସନ୍ଦିଗ୍ଧଙ୍କୁ ଏଟିଏସ ମୁମ୍ବାଇ ଉପକଣ୍ଠ ଥାନେ ଜିଲ୍ଲାର ମୁମ୍ବ୍ରା ଓ ଔରଙ୍ଗବାଦରୁ ଗିରଫ କରିଥିଲା । ଜଣେ ନାବାଳିକାକୁ ମଧ୍ୟ ଏହି ମାମଲାରେ ଅଟକ ରଖାଯାଇଛି । ବୁଧବାର ମହାରାଷ୍ଟ୍ର ଏଟିଏସ୍‌ ମୁଖ୍ୟ ଅତୁଲ କୁଲକର୍ଣ୍ଣି ଏମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଖୁଲାସା କରିଛନ୍ତି ।

ମହାରାଷ୍ଟ୍ର ଏଟିଏସ୍‌, ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ଏନ୍‌ଆଇଏର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଥିଲା । ଏମାନେ ବହୁ ସ୍ଥାନରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏମାନଙ୍କ ଟାର୍ଗେଟରେ ସର୍ବ ପ୍ରଥମେ ପ୍ରୟାଗରାଜର କୁମ୍ଭ ମେଳା ଥିଲା । କିନ୍ତୁ କୌଣସି ଆତଙ୍କବାଦୀ ଘଟଣା ଘଟାଇବା ପୂର୍ବରୁ ଏଟିଏସ୍‌ ଏମାନଙ୍କୁ ଗିରଫ କରିଛି।

କରୁଥିଲେ ସ୍ନାପ ଚାଟ୍‌ର ବ୍ୟବହାର

ଗିରଫ ସନ୍ଦିଗ୍ଧମାନେ ପରସ୍ପର ସହ ଯୋଗାଯୋଗ ରକ୍ଷା ପାଇଁ ସ୍ନାପ ଚାଟ୍ ଆପ୍‌ର ବ୍ୟବହାର କରୁଥିଲେ । ଯାଞ୍ଚରୁ ଜଣା ପଡ଼ିଛି ଯେ ସ୍ନାପ ଚାଟରୁ ବହୁ ଚାଟ୍‌କୁ ଏମାନେ ଡିଲିଟ୍ କରି ଦେଇଛନ୍ତି । ଏମାନେ ଡାର୍କନେଟ୍ ବ୍ୟବହାର କରୁଥିଲେ । ଏଟିଏସ୍‌ ଏବେ ଏସବୁର ଖୋଳତାଡ଼ ଆରମ୍ଭ କରି ଦେଇଛି ।

ଏଟିଏସ୍‌ ସୂତ୍ର ମୁତାବକ ଏହି ଆତଙ୍କୀ କାର୍ଯ୍ୟରେ ସାମିଲ 3 ଭାଇ ସଲମାନ, ମୋହସିନ ଓ ତକି ଖାନ ଲୋକଙ୍କୁ ଆତଙ୍କବାଦୀ ହେବା ପାଇଁ ଉସୁକାଉଥିଲେ । ସଲମାନ ମୁମ୍ବ୍ରାରେ ପ୍ରଥମେ ଫୁଟବଲ କୋଚିଂ ଦେଉଥିଲା, କିନ୍ତୁ ଗତ ବର୍ଷ ଔରଙ୍ଗାବାଦକୁ ସ୍ଥାନାନ୍ତର ହୋଇଥିଲା ।

Related Posts