୨୦ବର୍ଷ ହେଲା ବିଶ୍ୱବିଦ୍ୟାଳୟ ଅଡିଟ୍ ନାହିଁ !

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ଗଲା ୨୦ବର୍ଷ ହେଲା ଉପସ୍ଥାପିତ ହୋଇନି ବିଶ୍ୱବିଦ୍ୟାଳୟ ବାର୍ଷିକ ଅଡିଟ । ପ୍ରତିବର୍ଷ ଏହି ରିପୋର୍ଟ ଉପସ୍ଥାପନ କରିବାକୁ ନିୟମ ରହିଥିବା ବେଳେ ଗତ ୨୦୦୦ ମସିହା ଠାରୁ ଏହା ଉପସ୍ଥାପିତ ହୋଇନାହିଁ । ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି । ସେପଟେ ସରକାରୀ ଦଳ ତରଫରୁ କୁହାଯାଇଛି ଖୁବଶୀଘ୍ର ରିପୋର୍ଟ ସରକାରଙ୍କ ହସ୍ତଗତ ହେବ ।

ରାଜ୍ୟରେ ୨୦ବର୍ଷ ଧରି ନବୀନ ବାବୁଙ୍କ ସରକାର ଚାଲିଛି । ବଡ ଆଶ୍ଚର୍ଯ୍ୟର କଥା, ଏହି ସରକାର ଆସିବା ପରଠାରୁ କୌଣସି ଗୋଟିଏ ବି ସରକାରୀ କିମ୍ବା ବେସରକାରୀ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇନାହିଁ । ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବାକୁ ୩-ଟି ରୁ ୫-ଟି ଯାଏ ମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ଉପସ୍ଥାପିତ ନହେବା ଦର୍ଶାଉଛି କୌଣସି ଗୋଟିଏ ‘ଟି’ ବି ଠିକରେ କାମ କରିନି ।

ବିଶ୍ୱବିଦ୍ୟାଳୟ ଗୁଡିକ ରାଜ୍ୟ ସରକାରଙ୍କ ଠାରୁ ଜମି ଠୁ ନେଇ ଅନେକ ସୁବିଧା ସୁଯୋଗ ପାଉଛନ୍ତି । କେବଳ ସରକାରୀ କାହିଁକି ବେସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ବି ଅନେକ ସରକାରୀ ସୁବିଧା ପାଉଛନ୍ତି । ତେଣୁ ଏହାର ଅଡିଟ୍ ହେବା ବାଂଛନୀୟ ଓ ସେମାନେ ସରକାରଙ୍କୁ ଏହି ଅଡିଟ୍ ରିପୋର୍ଟ ଦେବାକୁ ବାଧ୍ୟ । ଓଡିଶା ୟୁନିଭରସିଟି ଆକ୍ଟ- ୧୯୮୯ ଅନୁସାରେ, ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା କଥା । କିନ୍ତୁ ୨୦୦୦ ମସିହା ଠାରୁ ଏହା ଉପସ୍ଥାପିତ ହୋଇନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱବିଦ୍ୟାଳୟ ଗୁଡିକ ସରକାରଙ୍କୁ ଅଡିଟ୍ ରିପୋର୍ଟ ଦେଉ ନାହାଁନ୍ତି ନା ସରକାର ଅଡିଟ୍ ରିପୋର୍ଟ ପାଇ ବି ଗୃହରେ ଉପସ୍ଥାପିତ କରୁ ନାହାଁନ୍ତି । ଯଦି ବିଶ୍ୱିବଦ୍ୟାଳୟ ଗୁଡିକ ଅଡିଟ୍ ରିପୋର୍ଟ ଦେଉ ନାହାଁନ୍ତି ତେବେ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ରିପୋର୍ଟ ମାଗିଛନ୍ତି କି ନାହିଁ ତାହା ବି ସନ୍ଦୀହାନ ।

ଏହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରିଛି କଂଗ୍ରେସ । ଉଚ୍ଚଶିକ୍ଷା ବିଭାଗ କଣ କରୁଛି ବୋଲି ପ୍ରଶ୍ନ କରିଛି ଦଳ । ସରକାରୀ ସୁବିଧା ପାଉଥିବା ବିଶ୍ୱବିଦ୍ୟାଳୟ ଗୁଡିକ କଣ ପାଇଁ ଅଡିଟ୍ ରିପୋର୍ଟ ଦେଉ ନାହାଁନ୍ତି ବୋଲି ପ୍ରଶ୍ନ କରି ଦଳର ସଦସ୍ୟ ହୋ-ହାଲ୍ଲା କରିଥିଲେ । ଫଳରେ ବାରମ୍ବାର ଗୃହକୁ ମୂଲତବୀ କରିବା ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ବୈଠକର ନିଷ୍ପତି ଅନୁସାରେ ବିଶ୍ୱବିଦ୍ୟାଳୟ ପରିଚାଳନା ସହ ଜଡିତ ବିଭିନ୍ନ ବିଭାଗ ଏନେଇ ଖୁବଶୀଘ୍ର ସରକାରଙ୍କୁ ଅବଗତ କରାଇବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।

Related Posts