(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକ ବଡ ଡାକ୍ତରଖାନାରେ ଏକ୍ମୋ ସପୋର୍ଟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କର ଶନିବାର ମୃତ୍ୟୁ ଘଟିଛି । ଏସ୍ସିବିରେ ଇକ୍ମୋରେ ଚିକିତ୍ସାଧୀନ ଅବସ୍ଥାରେ ଏହା ହେଉଛି ପ୍ରଥମ ମୃତ୍ୟୁ। ମୃତକଙ୍କ ନାଁ ହେଉଛି ଜଗନ୍ନାଥ ପ୍ରଧାନ(୩୨)। ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।
ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ବହୁ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଜଗନ୍ନାଥଙ୍କ ଫୁସଫୁସ ସଂକ୍ରମିତ ହୋଇଥିବାରୁ ତାଙ୍କୁ କଟକ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ୍ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗତକାଲି ଏସସିବି ଇକ୍ମୋ ୟୁନିଟ୍ରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏସିସିବିକୁ ସ୍ଥାନାନ୍ତର କରାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଛି। ଏସସିବିର କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟ୍ରେ ଏବେ ମୋଟ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।