ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀଙ୍କ ଭାରତ ସହ ରହିଛି ଗଭୀର ସମ୍ପର୍କ

କଲମ୍ବୋ : ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ପଞ୍ଚଦଶତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦିନେଶ ଗୁଣବର୍ଦ୍ଧନେ । ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି) ପାର୍ଟିର ସାଂସଦ ଗୁଣବର୍ଦ୍ଧନେ ଅନ୍ୟ ସାଂସଦଙ୍କ ଉପସ୍ଥିତିରେ କଲମ୍ବୋରେ ଶପଥ ଗ୍ରହଣ କରିଛନ୍ତି।

ଶ୍ରୀଲଙ୍କା ରାଜନୀତିରେ ନୂଆ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଦେଶର ଅର୍ଥ ବ୍ୟବସ୍ଥା ସ୍ୱାଧୀନତା ପରଠାରୁ ସବୁଠୁ ଖରାପ ପରିସ୍ଥିତିକୁ ପହଞ୍ଚି ଯାଇଛି। ସେ ସବୁ କୁ ଭରଣ କରିବା ଏବେ ତାଙ୍କ ପାଇଁ ବଡ଼ ଚ୍ୟାଲେ୍ଜ ସୃଷ୍ଟି କରିବ ।

ତେବେ ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀଙ୍କ ଭାରତ ସହ ଗଭୀର ସମ୍ପର୍କ ଥିବା ଜଣାପଡିଛି। ଏପରିକି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପିତାଙ୍କର ମଧ୍ୟ ଭୂମିକା ଥିବା ବେଳେ ସ୍ୱାଧୀନୋତ୍ତର ଭାରତରେ ସମବାୟ ଆନ୍ଦୋଳନ ଲାଗି ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। ଦିନେଶ ଗୁଣବର୍ଦ୍ଧନେଙ୍କ ପିତା ଡନ ଫିଲିପ୍ ରୂପାସିଂଘେ ଗୁଣବର୍ଦ୍ଧନେଙ୍କ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ସହ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା।

ଡନ ଫିଲିପ୍ ସାମ୍ରାଜ୍ୟବାଦ ବିରୋଧ ସଙ୍ଗଠନ ଇଣ୍ଡିଆ ଲିଗ୍ ଲାଗି କୃଷ୍ଣ ମେନନ ଓ ନେହେରୁଙ୍କ ସହିତ କାମ କରିଥିଲେ। ୧୯୪୨ ମସିହାରେ ଡନ ଫିଲିପ ଶ୍ରୀଲଙ୍କାରୁ ଖସି ପଳାଇ ଆସି ଭାରତରେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ। ଡନ ଫିଲିପ୍ ଭାରତରେ ଗୁରୁସ୍ୱାମୀ ନାମରେ ପରିଚିତ ଥିବା ବେଳେ ଆନ୍ଦୋଳନ କାଳରେ ଧରାପଡି ଜେଲ ଯାଇଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଡନ ଫିଲିପଙ୍କୁ ତାଙ୍କ ପତ୍ନୀ କୁସୁମୀ ମଧ୍ୟ ସହଯୋଗ କରୁଥିଲେ। ସେମାନେ ଭାରତରେ ଅବସ୍ଥାନ କରୁଥିବା ବେଳେ ସେମାନଙ୍କର ପ୍ରଥମ ପୁତ୍ର ଜନ୍ମ ହୋଇଥିଲା ଓ ସେମାନେ ତାଙ୍କ ନାମ ଇଣ୍ଡିକା ରଖିଥିଲେ।

ଶ୍ରୀଲଙ୍କା ଗାର୍ଡିଆନ ରିପୋର୍ଟ ଅନୁସାରେ ଡନ ଫିଲିପଙ୍କୁ ୧୯୪୩ରେ ଶ୍ରୀଲଙ୍କା ଅଣାଯାଇଥିଲା ଓ ଏଠାରେ ତାଙ୍କୁ ୬ ମାସ ଦଣ୍ଡାଦେଶ ହୋଇଥିଲା। ସ୍ୱାଧୀନୋତ୍ତର ଭାରତରେ ସମବାୟ ଆନ୍ଦୋଳନରେ ମଧ୍ୟ ଡନ ଫିଲିପଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ବହୁ ଉଦ୍ଦେଶୀୟ ସମବାୟ ସମିତି ପ୍ରଣାଳୀ (ଏମପିସିଏସ୍) ସ୍ଥାପନା ଓ ଆରମ୍ଭ କରି ଅସାଧାରଣ ସଫଳତା ହାସଲ କରିଥିଲେ।

Related Posts