(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ଜଣେ ୯ ବର୍ଷିୟ ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଏବେ ରାଜନୀତି ବଢିବାରେ ଲାଗିଛି । ଦଳିତ ନାବାଳିକାକୁ ନ୍ୟାୟ ଦାବିରେ ବିରୋଧ ଜାରି ରହିଛି। ଏସବୁ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ପରିବାରକୁ ସାକ୍ଷାତ ପରେ ରାହୁଲ ଗାନ୍ଧୀ କହିଛନ୍ତି , “ତାଙ୍କ ମା ଏବଂ ବାପାଙ୍କ ଲୁହ କେବଳ ଗୋଟିଏ କଥା କହୁଛି – ସେମାନଙ୍କର ଝିଅ ଦେଶର ଝିଅ , ସେ ନ୍ୟାୟ ପାଇବାକୁ ଯୋଗ୍ୟ। ପରିବାର କେବଳ ନ୍ୟାୟ ଚାହୁଁଛନ୍ତି । ଏଥିପାଇଁ ଆବଶ୍ୟକ ସହାୟତା ଦରକାର । ଯେ ପର୍ଯ୍ୟନ୍ତ ପରିବାରକୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ସେ (ରାହୁଲ) ପଛକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୀଡିତା ପରିବାରକୁ ଭେଟି ପାରନ୍ତି।
ପୁରା ଘଟଣାକ୍ରମ :-
ଅଭିଯୋଗ ଅନୁଯାୟୀ ରବିବାର ସନ୍ଧ୍ୟାରେ ଝିଅଟି ତାଙ୍କ ଘର ନିକଟରେ ଥିବା ଏକ ଶ୍ମଶାନ ନିକଟରେ ଥିବା କଳରୁ ପାଣି ଆଣିବାକୁ ଯାଇଥିଲା। ପୋଲିସର ସୂଚନାନୁସାରେ ପ୍ରାୟ ୩୦ ମିନିଟ ପରେ ପୁରୋହିତ ରାଧେ ଶ୍ୟାମ ଏବଂ ଅନ୍ୟ ତିନି ଜଣ ଲୋକ ଝିଅର ମା’ଙ୍କୁ ଡାକି ଝିଅର ମୃତଦେହ ଦେଖାଇଥିଲେ। ସେମାନେ କହିଥିଲେ ଯେ ପାଣି ପାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ ହୋଇଥିଲା ।
କିନ୍ତୁ ଝିଅର ପିତାମାତାଙ୍କ ଦାବି ହେଉଛି ଯେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏପରିକି ପରିବାରର ଅଜାଣତରେ ବଳ ପୂର୍ବକ ମୃତ ନାବାଳିକାଙ୍କ ଅନ୍ତିମ ସଂସ୍କାର କରି ଦିଆଯାଇଛି ।
ଝିଅର ମା’ କହିଛନ୍ତି “ମୁଁ ଚିତ୍କାର କରୁଥିଲି ଏବଂ କିଛି ଗ୍ରାମବାସୀ ମୋତେ ସାହାଯ୍ୟ କରିବାକୁ ଆସିଥିଲେ। ଆମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କେବଳ ମୋ ଝିଅର ଗୋଡକୁ ଉଦ୍ଧାର କରିପାରିଥିଲୁ ।”
ଏହାପରେ ଝିଅର ବଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ଗଠିତ ହୋଇଥିବା ଏକ ମେଡିକାଲ ଟିମ୍ ପୋଲିସକୁ ସୂଚନା ଦେଇଛି ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡି ନାହିଁ । ଶବଦାହ ଯୋଗୁଁ ଝିଅର ଶରୀର ପୋଡି ଯାଇଥିଲା।
ଘଟଣା ପରେ ପରିବାର ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରି ହତ୍ୟା, ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ଲଗାଇ ମାମଲାର ତଦନ୍ତ କରୁଛି । ପୁରୋହିତ ରାଡି ଶ୍ୟାମ (୫୫) ଏବଂ ଅନ୍ୟ ତିନିଜଣ କର୍ମଚାରୀ – କୁଲଦୀପ କୁମାର (୬୩), ଲକ୍ଷ୍ମୀ ନାରାୟଣ (୪୮) ଏବଂ ମୋହଦ୍ ସଲିମ (୪୯) ଙ୍କୁ ସୋମବାର ଗିରଫ କରାଯାଇଥିଲା। ଅପରପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ” ଘଟଣା ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ । ପୀଡିତା ପରିବାର ସହ ସେ ସବୁବେଳେ ଅଛନ୍ତି । ଆଜି ପରିବାରକୁ ସାକ୍ଷାତ କରିବେ । ଦିଲ୍ଲୀ ସରକାର ଯଥା ସମ୍ଭବ ସହାୟତା ଓ ଆଇନଗତ ସହଯୋଗ କରିବେ । “