(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଷୀ ମାନେ ଆନ୍ଦୋଳନ କରି ଆସୁଛନ୍ତି। ଏହି ପ୍ରସଙ୍ଗକୁ ବିରୋଧୀ ସଂସଦରୁ ଆରମ୍ଭ କରି ଭିନ୍ନ ଭିନ୍ନ ମଞ୍ଚରେ ଉଠାଇ କେନ୍ଦ୍ରକୁ ଘେରୁଛନ୍ତି। କିନ୍ତୁ ଆଜି ସଂସଦ ବାହାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। କୃଷି ଆଇନକୁ ବିରୋଧ କରୁଥିବା ଦୁଇ ଦଳର ସାସଂଦ କଂଗ୍ରେସ ଏବଂ ଅକାଳୀ ଦଳ ପରସ୍ପର ମଧ୍ୟରେ ଝଗଡ଼ା କରୁଥିବାର ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ୩ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ କୃଷକଙ୍କ ଦାବିକୁ ଉଭୟ କଂଗ୍ରେସ ଏବଂ ଅକାଳୀ ସମର୍ଥନ କରୁଛନ୍ତି।
ବର୍ତ୍ତମାନ ସଂସଦର ମୌସୁମୀ ଅଧିବେଶନ ଚାଲିଛି। କଂଗ୍ରେସ ସମେତ ତମାମ ବିରୋଧୀ ଦଳ କୃଷକ ଏବଂ ପେଗାସସ୍ ପ୍ରସଙ୍ଗରେ ସଂସଦକୁ ଏକ ପ୍ରକାର ଅଚଳ କରି ଦେଇଛନ୍ତି । ବିରୋଧୀ ଦଳର ନେତାମାନେ ଉଭୟ ସଦନ ଭିତରେ ଏବଂ ସଂସଦ ବାହାରେ ଏହି ପ୍ରସଙ୍ଗରେ ବିରୋଧ କରୁଛନ୍ତି। ଅକାଳୀ ଦଳ ମଧ୍ୟ ବିରୋଧ କରୁଛି। ଏଥିରେ ଅକାଳୀ ଦଳର ସାସଂଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍ଷମ୍ରତ କୌର ବାଦଲ ମଧ୍ୟ ଅଛନ୍ତି।
ସଂସଦ ଫାଟକ ପାଖରେ କଂଗ୍ରେସ ସାଂସଦ ରବନୀତ ସିଂ ଏବଂ ହର୍ଷମ୍ରତ କୌରଙ୍କ ମଧ୍ୟରେ କୃଷକଙ୍କ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା। କଂଗ୍ରେସ ସାସଂଦ ଅକାଳୀ ଦଳର ସାଂସଦଙ୍କୁ କହିଥିଲେ ଆପଣ ନାଟକ କରିବା ବନ୍ଦ କରନ୍ତୁ । କାରଣ ଏହି ବିଲ୍ ଆସିବା ସମୟରେ ଅପଣ (ହର୍ଷମ୍ରତ କୌର) କେନ୍ଦ୍ର ମନ୍ତ୍ରୀ ଥିଲେ। ବିଲ୍ ପାରିତ ହେବା ପରେ ଆପଣ ଇସ୍ତଫା ଦେଇଛନ୍ତି, ଆପଣ କାହିଁକି ସେ ସମୟରେ ବିଲ୍ ପାସ୍ କରିବାକୁ ଦେଲେ ? ତେବେ ହର୍ଷମ୍ରତ ମଧ୍ୟ ଏହାକୁ ବିରୋଧ କରିଥିଲେ।
ହର୍ଷମ୍ରତ କୌର ବାଦଲ ଏବଂ ତାଙ୍କ ଦଳ ଅକାଳୀ ଦଳ ପୂର୍ବରୁ ଏନଡିଏର ସହଯୋଗୀ ଥିଲେ। ପରେ, ନୂତନ କୃଷି ଆଇନକୁ ନେଇ କୃଷକ ମାନେ ଯେତେବେଳ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ହର୍ଷମ୍ରତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଅକାଳୀ ଦଳ ମଧ୍ୟ ଏନଡିଏରୁ ଓହରି ଯାଇଥିଲା।