ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଅବକାରୀ ଦୁର୍ନୀତି ସାମ୍ନାକୁ ଆସିବା ପରେ ଦିଲ୍ଲୀ ଉପରାଜ୍ୟପାଳ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଘୋଷଣା ହୋଇ ଯାଇଛି। ଆପ କେତେବେଳେ ଉପରାଜ୍ୟପାଳଙ୍କ ବିରୋଧ ରେ ଦୁର୍ନୀତି ଅଭିଯୋଗ ଆଣୁଛି ତ ଉପରାଜ୍ୟପାଳ କେତେବେଳେ ସରକାରଙ୍କ ବିଭିନ୍ନ ଫାଇଲ ଦସ୍ତଖତ ନ କରି ଫେରାଇ ଦେଉଛନ୍ତି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ପୁଣିଥରେ ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଆପ ସାଂସଦ ସଞ୍ଜୟ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ଉପ ରାଜ୍ୟପାଳ ବେଆଇନ ଭାବେ ନିଜ ଝିଅକୁ ୮୦ କୋଟିର ଚୁକ୍ତି ଦେଇଛନ୍ତି।ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆପ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ଖଦୀ ଗ୍ରାମ୍ୟ ଉଦ୍ୟୋଗର ସଭାପତି ଥିବା ସମୟରେ ସକ୍ସେନା ତାଙ୍କ ଝିଅ ଶିବାଙ୍ଗୀ ସକସେନାକୁ ଇଣ୍ଟେରିୟର ଡିଜାଇନିଂ ଚୁକ୍ତି ପ୍ରଦାନ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଖଦୀ ଗ୍ରାମ୍ୟ ଉଦ୍ୟୋଗର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବା ସମୟରେ ଉପରାଜ୍ୟପାଳ ସାକ୍ସେନା ତାଙ୍କ ପଦର ଅପବ୍ୟବହାର କରି ମୁମ୍ବାଇର ଖଦି ଲାଉଞ୍ଜର ଇଣ୍ଟେରିୟର ଡିଜାଇନ୍ ପାଇଁ ତାଙ୍କ ଝିଅକୁ ଏକ ଚୁକ୍ତିନାମା ପ୍ରଦାନ କରିଥିଲେ । ଏହି ଚୁକ୍ତିନାମା ପ୍ରଦାନ କରିବାବେଳେ ସେ କେଭିଆଇସି ଅଧିନିୟମ ୧୯୬୧ ର ଉଲ୍ଲଂଘନ କରିଥିଲେ ।

ଚୁକ୍ତିନାମା ପ୍ରଦାନ କରିବାର ଉଚିତ ପ୍ରକ୍ରିୟା ପାଳନ କରାଯାଇ ନ ଥିବାରୁ ଆମେ ଏନେଇ କୋର୍ଟକୁ ଯିବୁ ବୋଲି ସଞ୍ଜୟ କହିଛନ୍ତି। କେଭିଆଇସି ଅଧ୍ୟକ୍ଷ ତାଙ୍କ ସମ୍ପର୍କୀୟଙ୍କୁ କିପରି ଭାବେ ଚୁକ୍ତି ଦେଇପାରିବେ? ଏଇଟା ଆଦୌ ଯୁକ୍ତି ସଂଗତ ନୁହେଁ ବୋଲି ଶ୍ରୀ ସିଂ ଗୁରୁବାର ସକ୍ସେନାଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହ ସେ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି) ମୁଖ୍ୟ ଥିବାବେଳେ କୌଣସି ଟେଣ୍ଡର ନ କରି ତାଙ୍କ ଝିଅକୁ ଠିକା କାମ ଦେଇଦେଇଛନ୍ତି, ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ବୋଲି ସଞ୍ଜୟ କହିଛନ୍ତି।