‘ଜେଡିୟୁ ମୁକ୍ତ’ ଭଳି ଦିବାସ୍ୱପ୍ନ ଦେଖିବା ବିଜେପି ବନ୍ଦ କରିଦେଉ : ଲଲନ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଣିପୁରରେ ନିତୀଶ କୁମାରଙ୍କ ଦଳ ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଏହି ଘଟଣା ଘଟିବା ପରେ ପ୍ରଥମଥର ଜେଡିୟୁ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳର ଜାତୀୟ ସଭାପତି ତଥା ରାଜ୍ୟସଭା ସାଂସଦ ଲଲନ ସିଂ ବିଜେପି ସାଂସଦ ସୁଶୀଲ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ସୁଶୀଲ ମୋଦୀଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଘଟଣା ମନେ ପକାଇ କହିଛନ୍ତି ଯେ, ଏହି ଦୁଇ ରାଜ୍ୟରେ ଜେଡିୟୁ ବିଜେପି ସହ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଜିତିଥିଲା । ତେଣୁ ‘ଜେଡିୟୁ ମୁକ୍ତ’ ଭଳି ଦିବାସ୍ୱପ୍ନ ବିଜେପି ଦେଖିବା ବନ୍ଦ କରୁ । ଲଲନ ସିଂ ଆହୁରି କହିଛନ୍ତି ଯେ ମଣିପୁରରେ ପୁଣି ଥିରେ ବିଜେପିର ପ୍ରକୃତ ଆଚରଣ ସମସ୍ତଙ୍କ ସାମ୍ନାକୁ ଆସିଛି । ୨୦୧୫ ରେ ସେଠାରେ ପ୍ରଧାନମନ୍ତ୍ରୀ ୪୨ ଟି ସଭା କରିବା ପରେ ୫୩ ଟି ଆସନ ଜିତିବାରେ ସଫଳ ହୋଇଥିଲେ । ମାତ୍ର ୨୦୨୪ ରେ ସାରା ଦେଶ ଜୁମଲାବାଜଙ୍କ ଠାରୁ ମୁକ୍ତ ହେବାକୁ ଯାଉଛି ବୋଲି ସେ ସୂଚେଇ ଦେଇଛନ୍ତି ।

ତେବେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ଏକ ଟ୍ୱିଟ କରି କହିଥିଲେ ଯେ, ଅରୁଣାଚଳ ପ୍ରଦେଶ ପରେ ମଣିପୁରରେ ମଧ୍ୟ ଜେଡିୟୁ ସଫା ହୋଇଯାଇଛି । ଏହାପରେ ଖୁବଶୀଘ୍ର ଲାଲୁଜୀ ବିହାରକୁ ମଧ୍ୟ ଜେଡିୟୁ ମୁକ୍ତ କରିଦେବେ ।ଏହା ପରେ ଲଲନ ସିଂ ସୁଶୀଲ ମୋଦିଙ୍କୁ କଡା ଜବାବ୍ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ମଣିପୁରରେ ଜେଡିୟୁର ଥିବା ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ଦଳଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଜେଡିୟୁ କହିଛି କି ବିହାରରେ ମେଣ୍ଟ ସରକାର ଭାଙ୍ଗିଯିବା ପରେ ମଣିପୁରରେ ବିଜେପି ଏହାର ପ୍ରତିଶୋଧ ନେଇଛି ।

Related Posts