ସ୍ମୃତି ଇରାନୀଙ୍କ ଝିଅ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ୨୪ ଘଣ୍ଟା ମଧ୍ୟରେ ଟୁଇଟରରୁ ହଟାଇବାକୁ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛନ୍ତି। ଏହି ଦୁଇ ନେତା ଅଭିଯୋଗ ଆଣିଥିଲେ ଯେ ସ୍ମୃତିଙ୍କ ଝିଅ ଜୋଇସ୍‌ ଗୋଆରେ ବେଆଇନଭାବେ ଏକ ବାର ଚଳାଉଛନ୍ତି । ଏହି ଅଭିଯୋଗ ବିରୋଧରେ ସ୍ମୃତି ଇରାନୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଜୋଇସ୍‌ଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟକୁ ଟୁଇଟର୍‌ରୁ ହଟାଇବାକୁ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଯଦି ସେମାନେ ଏହି ମନ୍ତବ୍ୟକୁ ହଟାଇବେ ନାହିଁ, ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହି ମନ୍ତବ୍ୟଗୁଡିକୁ ହଟାଇବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ସ୍ମୃତି ଇରାନୀ ଜୟରାମ ରମେଶ ଏବଂ ପୱନ ଖେରାଙ୍କ ନାଁରେ ମାନହାନୀ ଅଭିଯୋଗ ଆଣ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗୋଆରେ ଥିବା ଏକ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କ ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ପ୍ରଦର୍ଶନ କରିଥିଲେ। ଗୋଆ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କାରାଯାଇଥିଲା। ଉକ୍ତ ରେଷ୍ଟୁରାଣ୍ଟର ବାର ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଆବେଦନ କରାଯାଇଥିବା ଅଭିଯୋଗ ହୋଇଥିଲା।

Related Posts