ଦିଲ୍ଲୀରେ ଆତଙ୍କବାଦୀ

ଗଣତନ୍ତ୍ର ଦିବସକୁ ଆଉ ମାତ୍ର 3 ଦିନ ବାକି । ଏହାର ପ୍ରସ୍ତୁତି ଭିତରେ ଆତଙ୍କବାଦୀଙ୍କୁ ନେଇ ଆଲର୍ଟ ଜାରି କରାଯାଇଛି ।
ପ୍ରତିବର୍ଷ ଭଳି ଏଥର ବି ଜାନୁଆରୀ 26ରେ ପାଳନ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ଦିଲ୍ଲୀ ।

ଗୋଟିଏ ପଟେ ପରେଡ୍‌ ପାଇଁ ଚାଲିଛି ଅଭ୍ୟାସ । ଅନ୍ୟପଟେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ନେଇ ବଢ଼ିଯାଇଛି ଚିନ୍ତା । କାରଣ ଭାରତର ଏହି ରାଷ୍ଟ୍ରୀୟ ପର୍ବରେ କାଣ୍ଡ ଭିଆଇବା ପାଇଁ ଆତଙ୍କବାଦୀମାନେ କରୁଛନ୍ତି ଉଦ୍ୟମ । ଗୁଇନ୍ଦା ଏଜେନ୍ସି ମିଳିଥିବା ରିପୋର୍ଟ ଆଧାରରେ ସୁରକ୍ଷା ବାହିନୀଙ୍କୁ ଆଲର୍ଟ ଜାରି କରାଯାଇଛି ।

ଦିଲ୍ଲୀକୁ 5-6 ଜଣ ଆତଙ୍କବାଦୀ ଆସିଥିବା ଖବର ମିଳିଛି । ଦୁଇ ମାସ ପୂର୍ବରୁ ଆତଙ୍କବାଦୀମାନେ ଦିଲ୍ଲୀକୁ ଆସିସାରିଛନ୍ତି । ଆତଙ୍କବାଦୀଙ୍କ ପାଖରେ ବିସ୍ଫୋରକ ଥିବାର ଆଶଙ୍କା ବି କରାଯାଉଛି । ଏହି ଆତଙ୍କବାଦୀ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଓ ଲସ୍କର-ଏ-ତଇବାର ହୋଇପାରନ୍ତି । କୌଣସି ଆତ୍ମଘାତୀ ଆକ୍ରମଣ କରିବାକୁ ଏମାନେ ଷଡ଼ଯନ୍ତ୍ର କରୁଛନ୍ତି । ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନାକୁ ନେଇ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।

ରେଲୱେ ଷ୍ଟେସନ୍‌, ମେଟ୍ରୋ ଷ୍ଟେସନ୍‌ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ମଲ୍‌, ମଲ୍ଟିପ୍ଲେକ୍ସ ଓ ଧାର୍ମିକ ପ୍ରତିଷ୍ଠାନରେ କଡ଼ା ପହରା ଦିଆଯାଉଛି । ଜାନୁୟାରୀ 26 ଯାଏଁ ପୋଲିସ୍‌ କର୍ମଚାରୀଙ୍କୁ ନିଜ ନିଜ ଅଞ୍ଚଳ ଗସ୍ତ କରିବାର ଆଦେଶ ଦିଆଯାଇଛି । ବ୍ୟାରିକେଡ୍‌ ଲଗାଇ ସନ୍ଦିଗ୍ଧଙ୍କର ଯାଂଚ କରିବାକୁ ଆଦେଶ ଦିଆଯାଇଛି ।

ଆତଙ୍କବାଦୀ କେଉଁ ଅଞ୍ଚଳରେ ଅଛନ୍ତି ଏ ନେଇ କିଛି ନିର୍ଦ୍ଦିଷ୍ଟ ଭାବେ ସୂଚନା ପାଇନାହାନ୍ତି ସୁରକ୍ଷା ଏଜେନ୍ସି । କିନ୍ତୁ ଏମାନଙ୍କୁ ଧରିବାକୁ ଜୋରଦାର ଖାନତଲାସୀ ଚାଲିଛି ।

Related Posts