ସିଏମ୍ ସାର୍ କେବେ ସରିବ ରିପୋର୍ଟ ପଢ଼ା…

ସତ୍ୟପାଠ ବ୍ୟୁରୋ : ୩୬୫ ଦିନ । ୮,୭୬୦ଘଣ୍ଟା । ୫,୨୫,୬୦୦ ମିନିଟ୍ । ବୋଧହୁଏ ଆଉ ସେକେଣ୍ଡର ହିସାବ ଦେବା ଉଚିତ ହେବନି । କିନ୍ତୁ ପ୍ରତି ସେକେଣ୍ଡରେ ନ୍ୟାୟ ଆଶାରେ ତା ପରିବାର । ଆମେ କହୁଛୁ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର କଥା । ପିଡୀତାଙ୍କ ମୃତ୍ୟୁକୁ ଆଜି ବର୍ଷେ ପୁରିଛି । ହେଲେ ବର୍ଷେ ପରେ ବି ଏହି ଘଟଣାର ତଦନ୍ତ ପାଇଁ ବସିଥିବା କୁନ୍ଦୁଲି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହୋଇନାହିଁ । କମିଶନ ତାଙ୍କ ରିପୋର୍ଟରେ କଣ ପାଇଲେ ଓ କଣ ସୁପାରିଶ କଲେ ତାଙ୍କ ବ୍ୟତିରେକ ଆଉ ଜଣକ ଛଡା ଆଉ କେହି ବି ଜାଣି ପାରିଲେ ନାହିଁ । ସେ ବ୍ୟକ୍ତି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୃତା ପିଡୀତାଙ୍କ ଫାଇଲ ଫଟୋ

ଫେବୃଆରୀ ୭, ୨୦୧୮ ଦିନ ଯେତେବେଳେ କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ନବୀନ ବାବୁ ପିଡୀତାର ପରିବାର ଓ ରାଜ୍ୟବାସୀଙ୍କୁ ଦାମ୍ଭିକତାର ସହ ତିନିମାସ ଭିତରେ ତଦନ୍ତ ଶେଷ କରାଯାଇ ନ୍ୟାୟ ପ୍ରଦାନର ଭରସା ଦେଇଥିଲେ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଂଳାପକୁ ଖୁବଶୀଘ୍ର ବର୍ଷେ ପୁରିବ । କମିଶନ ମଧ୍ୟ ରିପୋର୍ଟ ଦେଇ ସାରିଲେଣି । ଆଗକୁ ନିର୍ବାଚନ । ସମସ୍ତଙ୍କ ଅଲକ୍ଷ୍ୟରେ ନବୀନ ବାବୁ ରିପୋର୍ଟକୁ ଚାପି ଦେଲେ । ପିପିଲି ବେବିନା ହତ୍ୟା ଘଟଣାର ରାୟ ଦଳପତିଙ୍କ ନିଦ ହଜାଇ ଦେଇଛି । ଦଳ ଭାବମୂର୍ତ୍ତୀ ବଂଚାଇବାକୁ ଯାଇ ବାଧ୍ୟ ହେଲେ ଦଳଭାଇଙ୍କୁ ବଳି ପକାଇବା ପାଇଁ । ଏପରି ସ୍ଥିତିରେ , ନ୍ୟାୟ ପଛରେ ନିର୍ବାଚନ ଆଗରେ । ନ୍ୟାୟ ଚୂଲିକୁ ଯାଉ, ନିର୍ବାଚନ ଜିତିଯାଉ । ଆଗକୁ ବିପର୍ଯ୍ୟୟ ବଂଚାଇବାକୁ ଦଳକୁ ଆଉ ଅଧିକ ବିପର୍ଯ୍ୟୟ ନଦେବାକୁ ଯାଇ କୁନ୍ଦୁଲି ରିପୋର୍ଟକୁ ଚାପିଦେଲେ ମୁଖ୍ୟମନ୍ତ୍ରୀ ।

ଜାତୀୟ ମାନବାଧିକାର କମିଶନ ସଦସ୍ୟଙ୍କ ତଦନ୍ତ ସମୟର ଫାଇଲ ଫଟୋ

କ୍ରାଇମବ୍ରାଞ୍ଚ, ବିଚାର ବିଭାଗୀୟ ତଦନ୍ତ, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ଗଠିତ ବି.କେ ମିଶ୍ର ତଦନ୍ତ କମିଶନ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରି ସାରିଛନ୍ତି । କୋରାପୁଟ ଜିଲ୍ଳା କୋର୍ଟରେ ୧୫ ଜଣ ସରକାରୀ କର୍ମଚାରୀ ଓ ପିଡୀତାଙ୍କ ପରିବାର ଠାରୁ ବୟାନ ସଂଗ୍ରହ କରିଥିଲେ କମିଶନ । କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ ଦାୟୀ , କେଉଁ ପରିସ୍ଥିତିରେ ନାବାଳିକା ଜଣକ ଆତ୍ମହତ୍ୟା କଲେ ଓ ଏହା ସହ ଜଡିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିଶନ ତଦନ୍ତ ସାପେକ୍ଷ ବୋଲି ମନେ କରିଥିଲେ ସେ ନେଇ ତଦନ୍ତ ଚାଲିଥିଲା ।

ପ୍ରାଥମିକ ରିପୋର୍ଟରେ ସିମେନ ଥିବା ସ୍ପଷ୍ଟ କରାଯାଇଥିଲା

ପୁରା ଘଟଣାକ୍ରମ ସେତେବେଳେ ଏକଦମ ରହସ୍ୟମୟ ଲାଗୁଥିଲା । ପ୍ରଥମେ ଡାକ୍ତର କହିଲେ ଦୁଷ୍କର୍ମ ହୋଇନି ପରେ ରାଜ୍ୟ ଫରେନସିକ ରିପୋର୍ଟ କହିଲା ଅନ୍ତବସ୍ତ୍ରରେ ପୁରୁଷର ସିମେନ ଦାଗ ଅଛି କିନ୍ତୁ କଲିକତା ଫରେନସିକ ଲାବରୋଟାରୀର ରିପୋର୍ଟ କହିଲା ଦାଗ ସିମେନର ନୁହେଁ । କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ବି ବୁକୁ ଫଟାଇ ପିଡୀତା ବାରମ୍ବାର କହୁଥିଲା “ ମୁଁ ମିଛ କହୁନି, ମୋତେ ଧର୍ଷଣ କରାଯାଇଛି । ମୁଁ ମିଛ କହୁଥିଲେ ମୋତେ ଫାଶୀ ଦିଅ, ହେଲେ ଅପମାନ ଦିଅନି ।”

ନ୍ୟାୟ ପାଇଁ ମୁଣ୍ଡ ପିଟି ପିଟି ନିରୀହା ଝିଅଟା ଜୀବନ ହାରିଦେଲା ସିନା ତାକୁ ନ୍ୟାୟ ବଦଳରେ ମିଳିଲା କେବଳ ତାରିଖ୍ ପେ ତାରିଖ୍…

ପିଡୀତାଙ୍କ ମୃତ୍ୟୁ ପରର ଫାଇଲ ଫଟୋ

କଣ ଥିଲା ଘଟଣାକ୍ରମ : ୨୦୧୭ ଅକ୍ଟୋବର ୧୦ ତାରିଖରେ ଘରକୁ ଫେରୁଥିବା ବେଳେ ଜବାନ ପୋଷାକ ପିନ୍ଧିଥିବା କିଛି ଲୋକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ କୁନ୍ଦୁଲି ପିଡୀତା । ନବମ ଶ୍ରେଣୀ ଛାତ୍ରୀଟିଏ ଏଭଳି ସଂଗୀନ ଅଭିଯୋଗ ଆଣିବା ପରେ ସାରା ରାଜ୍ୟରେ ଖେଳି ଯାଇଥିଲା ଆଲୋଡନ । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ପିଡୀତାଙ୍କ ଚିକିତ୍ସା ଚାଲୁଥିବା ବେଳେ ତାଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ । କିନ୍ତୁ ଘଟଣାର ୧୦୦ ଦିନ ପରେ ଅର୍ଥାତ ୨୦୧୮ ଜାନୁଆରୀ ୨୨ ତାରିଖରେ ନିଜ ଘରେ ପିଡୀତା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତୁରନ୍ତ ତାଙ୍କୁ କୁନ୍ଦୁଲି ଡାକ୍ତରଖାନା ନିଆଯାଇଥିଲେ ବି ତାଙ୍କୁ ବଂଚାଇବା ସମ୍ଭବ ହୋଇ ନଥିଲା ।

ଫେବୃଆରୀ ୧୧ରେ କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ଗାଁକୁ ଗଲେ ଅନୁସୂଚିତ ଜାତି କମିଶନ ସଦସ୍ୟ । ଫେବୃଆରୀ ୧୬ରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ଆଗତ ମାମଲାକୁ ହାଇକୋର୍ଟକୁ ପଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ଜୁନ ୨୪ ରେ ଜୟପୁର ଜିଲ୍ଲା ଦୌରାଜଜ କୋର୍ଟରେ ସାକ୍ଷ୍ୟ ଦେଲେ ପଟ୍ଟାଙ୍ଗୀ ଥାନା ଆଇଆଇସି, କୁନ୍ଦୁଲି ଡାକ୍ତର ଓ ସ୍ୱେଚ୍ଛାସେବୀ ସଂସ୍ଥା ଲାଇଫ ଫାଉଣ୍ଡେସନର ସଦସ୍ୟା । ଜୁଲାଇ ୨୯ରେ ପ୍ରଥମ ଥର ପାଇଁ ତଦନ୍ତ କମିଶନଙ୍କ ନିକଟରେ ୬ଷ୍ଠ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣରେ ସାକ୍ଷୀ ଦେଲେ ମୃତା ପିଡୀତାଙ୍କ ମା’, ଭାଇ ଓ ଖୁଡୀ ।

Related Posts