
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହିତ ଡାକ୍ତରଖାନାରେ ବେଡ୍ ଅଭାବ ମଧ୍ୟ ଦେଇଛି। ଦିଲ୍ଲୀରେ ଆଜି ଦିନକରେ ସର୍ବାଧିକ ୩୮୦ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସର୍ବାଧିକ କରୋନା ମୃତ୍ୟୁ ଖବର ପାଇବା ପରେ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଗୋଟିଏ ବି ଆଇସିୟୁ ବେଡ୍ ଖାଲି ନାହିଁ। ସୂଚନା ଅନୁଯାୟୀ, ରାମଲିଲା ଗ୍ରାଉଣ୍ଡରେ ନିର୍ମାଣ ହେଉଥିବା ଅସ୍ଥାୟୀ ଡାକ୍ତରଖାନାରେ 500 ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି । ଏଥି ସହିତ ଜିଟିବି ହସ୍ପିଟାଲ ଗ୍ରାଉଣ୍ଡରେ ନିର୍ମିତ ଅସ୍ଥାୟୀ ଡାକ୍ତରଖାନାରେ 500 ବେଡ୍ ର ବ୍ୟବସ୍ଥା କରାଯାଉଛି। ସେହିପରି ରାଧା ସୋମି କମ୍ପ୍ଲେକ୍ସରେ 200 ଆଇସିୟୁ ବେଡ୍ ର ବ୍ଯବସ୍ଥା ହେଉଥିବା ନେଇ ସେ ସୂଚନା ଦେଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୂଚନା ଅନୁଯାୟୀ ଏହି ଅସ୍ଥାୟୀ ଡାକ୍ତରଖାନାଗୁଡ଼ିକ ଆସନ୍ତା ୧୦ ତାରିଖ ସୁଦ୍ଧା କାର୍ଯ୍ଯକ୍ଷମ ହେବ। ସୋମବାର ଦିନ ଦିଲ୍ଲୀରେ 20,201 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ସର୍ବାଧିକ 380 ରୋଗୀଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା 10.47 ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 14,628 କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ସଂକ୍ରମଣ ହାର 35.02 ପ୍ରତିଶତ ଅଟେ। ବର୍ତ୍ତମାନ 92,358 କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।