ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଢୁଛି EVର ଚାହିଦା । ତେଲ ଦରବୃଦ୍ଧି ମଧ୍ୟରେ EV ପଞ୍ଜୀକରଣରେ ୫୮% ବୃଦ୍ଧି। ତେବେ ବାହନ ପୋର୍ଟାଲ ତଥ୍ୟ ଅନୁସାରେ ମେ ମାସ‌ରେ ୨ଚକିଆ ଇଭି ପଞ୍ଜୀକରଣରେ ୫୮ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୫ ମେରେ ୧.୦୪ ଲକ୍ଷ ଗାଡ଼ିର ପଞ୍ଜୀକରଣ ହୋଇଥିଲା। ୨୦୨୬ ମେରେ ୧.୬୪ ଲକ୍ଷ ୨ଚକିଆ ଇଭି ପଞ୍ଜୀକରଣ ହୋଇଛି। ଚଳିତ ବର୍ଷ ଏପ୍ରିଲରେ ୧.୩୯ ଲକ୍ଷ ୨ଚକିଆ ଇଭିର ପଞ୍ଜୀକରଣ ହୋଇଥିଲା। ଇଭି ନିର୍ମାତାମାନେ ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ସୁହାଇବା ଭଳି ଭିନ୍ନ ଭିନ୍ନ ଉତ୍ପାଦ ଉପଲବ୍ଧ କରାଇବା ଓ ଚାର୍ଜିଂ ଭିତ୍ତିଭୂମିରେ ଉନ୍ନତି ଇଭି ଗ୍ରହଣୀୟତାର ପ୍ରମୁଖ କାରଣ କୁହାଯାଉଛି।

ତେବେ ଇରାନ ଯୁଦ୍ଧ ପ‌ରେ ତେଲ ଦରରେ ଘଟିଥିବା ବୃଦ୍ଧି ପାଇଛି କିଛି ଗ୍ରାହକ ଇଭି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ କ୍ରିସିଲ୍‌ ରେଟିଂସ୍‌ର ନିର୍ଦ୍ଦେଶକ ପୁନମ ଉପାଧ୍ୟାୟ କହିଛନ୍ତି ଯେ ଗତ କିଛି ମାସ ଧରି ମାସିକ ହାରାହାରି ଇଭି ବିକ୍ରି ୧.୦୫ ଲକ୍ଷ ରହିଛି। ପୂର୍ବ ବର୍ଷର ବିକ୍ରି ତୁଳନାରେ ଏହା ଅପେକ୍ଷାକୃତ ଅଧିକ ଓ ସ୍ଥିର ମଧ୍ୟ। ତାଙ୍କ ମତରେ ଇଭି ବିକ୍ରି ବଢ଼ିବା ପଛରେ ତିନିଟି କାରଣ ରହିଛି। ପ୍ରଥମ କାରଣଟି ହେଉଛି ପେଟ୍ରୋଲ ଦରକୁ ନେଇ ଗ୍ରାହକମାନଙ୍କ ଭୟରେ ସୃଷ୍ଟି ହୋଇଥିବା ଭୟ।

ଇରାନ ଯୁଦ୍ଧ ପରେ ତେଲ ଦର ଯଥେଷ୍ଟ ବଢ଼ିବ ବୋଲି ସେମାନଙ୍କ ମନରେ ଆଶଙ୍କା ରହିଛି। ପେଟ୍ରୋଲ ଗାଡ଼ି ତୁଳନାରେ ଇଭିର ପରିଚାଳନା ଖର୍ଚ୍ଚ କମ୍‌ ରହୁଥିବାରୁ ଅଧିକରୁ ଅଧିକ ଗ୍ରାହକ ଏବେ ଇଭି କିଣିବାକୁ ଚାହୁଛନ୍ତି। ପୂର୍ବରୁ କେବଳ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ଇଭି ବିକ୍ରି କରୁଥିଲେ। ଏବେ ପ୍ରାୟ ସବୁ ପ୍ରତିଷ୍ଠିତି ଦୁଇଚକିଆ ଯାନ ନିର୍ମାତା ଇଭି ବିକ୍ରି କରୁଛନ୍ତି। ସାରା ଦେଶରେ ସେମାନଙ୍କର ଦୃଢ଼ ବିତରଣ ନେଟ୍‌ୱର୍କ ରହିଥିବାରୁ ସେମାନେ ଅଧିକ ଅଞ୍ଚଳ ଓ ଗ୍ରାହକଙ୍କ ପାଖରେ ସେମାନଙ୍କ ଇଭି ପହଞ୍ଚାଇପାରୁଛନ୍ତି।