ସ୍ପାଇସଜେଟର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଡିଜିସିଏ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ପାଇସଜେଟର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଡିଜିସିଏ । ତେବେ ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା ପରେ ଡିଜିସିଏ ପରି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ସେପଟେ ଏହି ପାଇଲଟଙ୍କୁ ନୋଏଡାରେ ଏକ ତାଲିମ କେନ୍ଦ୍ରରେ ସିମୁଲେଟର ତାଲିମ ଦିଆଯାଇଥିଲା । ଏନେଇ ଡିଜିସିଏ ମୁଖ୍ୟ ଅରୁଣ କୁମାର ସୂଚନା ଦେଇଛନ୍ତି । ଏହା ସହ ବର୍ତ୍ତମାନ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ବିମାନ ଉଙ୍ଗ଼ାଣ ଉପରେ ବାରଣ କରାଯାଇଛି । ବିମାନ ଉଙ୍ଗ଼ାଇବା ପାଇଁ ସେମାନଙ୍କୁ ପୁନର୍ବାର ସଫଳ ତାଲିମ ନେବାକୁ ପଡ଼ିବ । ଏହା ବ୍ୟତୀତ ପ୍ରଶିକ୍ଷଣରେ ତ୍ରୁଟି ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅରୁଣ କୁମାର କହିଛନ୍ତି । ସେମାନେ ସଫଳତାର ସହିତ ଆଉ ଗୋଟାଏ ପର‌୍ୟ୍ୟାୟ ଉଡ଼ାଣ ତାଲିମ୍ ଶେଷ ନ କଲା ପର‌୍ୟ୍ୟନ୍ତ ଏହି ନିଷେଧାଜ୍ଞା ବଳବତ୍ତର ରହିବ।

ଅନ୍ୟପଟେ ୫ ମାସ ଭିତରେ ୨ଟି ବିମାନ ‘ଲାୟନ୍ ଏୟାର୍ ଫ୍ଲାଇଟ୍ ଜେଟି୬୧୦’ ଏବଂ ‘ଇଥିଓପିଆନ୍ ଏୟାର୍ଲାଇନ୍ସ୍ ଫ୍ଲାଇଟ୍ ଇଟି୩୦୨’ ଦୁର୍ଘଟଣାଗ୍ରସ୍ତ ହୋଇ ୩୪୬ଜଣ ବ୍ୟକ୍ତି ପ୍ରାଣ ହରାଇବା ପରେ ମାର୍ଚ ୨୦୧୯ରେ ଭାରତ ସମେତ ସମଗ୍ର ବିଶ୍ବରେ ‘ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍’ ବିମାନ ଉଡ଼ାଣ ନିଷେଧ କରାଯାଇଥିଲା। ଏହାର ନିର୍ମାତା ଆବଶ୍ୟକ ପ୍ରତିକାର କରିବା ପରେ ୨୦୨୦ ଡିସେମ୍ବରରେ ଏହି ବିମାନ ଉଡ଼ାଣ ଉପରୁ ନିଷେଧାଜ୍ଞା ହଟା ଯାଇଥିଲା। ୨୦୨୧ ଅଗଷ୍ଟରେ ଭାରତରେ ‘ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍’ ବିମାନ ପୁନଃଉଡ଼ାଣ ପାଇଁ ଅନୁମତି ମିଳିଥିଲା। ଭାରତରେ କେବଳ ‘ସ୍ପାଇସ୍ଜେଟ୍’ର ‘ବି୭୩୭ ମ୍ୟାକ୍ସ୍’ ବିମାନ ଅଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts