ଧାମନଗର ଉପନିର୍ବାଚନ; ବ୍ୟାନର କାଢ଼ିବାକୁ ନେଇ ହାତାହାତି ହେଲେ ବିଜେଡି-ବିଜେପି କର୍ମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି ଓ ବିଜେଡି କର୍ମୀ ହାତାହାତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡା ପଞ୍ଚାୟତର ଦଶନ୍ଧିକୂଳ ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜେପି କର୍ମୀମାନେ ଅପେକ୍ଷା କରିଥିବା ବେଳେ ପୁଲିସ ଓ ନିର୍ବାଚନ କାମରେ ନିୟୋଜିତ ଅଧିକାରୀ ସରକାରୀ ଜାଗାରେ ଲାଗିଥିବା ଏକ ଦଳୀୟ ପତାକା ଏବଂ ବ୍ୟାନର ଖୋଲୁଥିଲେ। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ହାତାହାତି ହୋଇଥିଲେ। ଏଥିସହ ପରସ୍ପରକୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଏନେଇ ନିର୍ବାଚନ କାମରେ ମୁତୟନ ଫ୍ଲାଇଂ ସ୍କ୍ୱାଡ୍ ମୁଖ୍ୟ ସମ୍ବିତ୍ କୁମାର ସିଅଳ କହିଛନ୍ତି, ଏହି ସ୍ଥାନରେ ଆଦର୍ଶ ଆଚରଣବିଧିକୁ ଉଲ୍ଲଂଘନ କରି ସରକାରୀ ଜାଗାରେ ପୋଷ୍ଟର, ବ୍ୟାନର ମରାଯାଇଥିବା ନେଇ ଅଲୋକ ସେଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହାକୁ ତଦନ୍ତ କରିବାକୁ ସେମାନେ ଆସିଥିଲେ। ସରକାରୀ ସ୍ଥାନରେ ଅନୁମତି ନେଇ ବ୍ୟାନର, ପୋଷ୍ଟର ଲଗାଇ ହେବ। ବେସରକାରୀ ସ୍ଥାନ ନେଇ କୌଣସି ନିର୍ଦ୍ଦେଶ ନାହିଁ। ତେଣୁ ଏହା ନିୟମ ମୁତାବକ ଲାଗିଛି ନା ନାହିଁ ସେ ତାହା ଦେଖିବାକୁ ଆସିଥିଲେ। ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା। ଏହାଛଡ଼ା ଏହି ସମୟରେ ରାଲି ହେଉଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିଲା ବୋଲି ଶ୍ରୀ ସିଅଳ କହିଛନ୍ତି।

Related Posts