ଧନବାଦ ବିଚାରପତି ହତ୍ୟା ମାମଲା : ଜାଣିଶୁଣି ଧକ୍କା ଦେଇଥିଲା ଅଟୋ , ସିବିଆଇ ରିପୋର୍ଟରୁ ଖଲାସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଝାଡଖଣ୍ଡ ରାଞ୍ଚରେ ଗତ ଜୁଲାଇ ୨୮ ରେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଏହି  ମୃତ୍ୟୁ ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି ସିବିଆଇ। ସିବିଆଇ ରିପୋର୍ଟ ଅନୁଯାୟୀ, ଜଜ୍ ଉତ୍ତମ ଆନନ୍ଦଙ୍କୁ ଜାଣିଶୁଣି ଅଟୋ ଟି ଧକ୍କାଦେଇଥିବା ଉଲ୍ଲେଖ କରାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କରାଯାଇଛି ହତ୍ୟା। ଉତ୍ତମ ଆନନ୍ଦ ମର୍ନିଂ ଓ୍ବାକ୍ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ସେହି ସମୟରେ ଏହି ଘଟଣା ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା। ଏମିତିକି ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲା ଉଠିଥିଲା। ତେବେ ଜଜ୍ ଉତ୍ତମ ଆନନ୍ଦଙ୍କୁ ଜାଣିଶୁଣି ଅଟୋ ଚାଳକ ଧକ୍କା ମାରିଥିବା ନେଇ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। 

ଏହି ମାମଲାର ଯାଞ୍ଚ୍‌ ସିବିଆଇକୁ ନ୍ୟସ୍ତ କରାଯାଇଥିଲା।ଆଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି ସିଵିଆଇ। ସିବିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଜ୍ ଉତ୍ତମ ଆନନ୍ଦଙ୍କୁ ଜାଣିଶୁଣି ଅଟୋ ଧକ୍କାଦେଇଛି। ସିସିଟିଭି ଫୁଟେଜ୍‌, ଥ୍ରୀ-ଡି ଆନାଲିସିସ୍‌ ଦ୍ୱାରା ସିବିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ହାଇ ପ୍ରୋଫାଇଲ ମାମଲାରେ ମୁମ୍ବାଇ, ଦିଲ୍ଲୀ, ଗୁଜରାଟର ଗାନ୍ଧିନଗର ଆଦିରୁ ସିବିଆଇର ୪ଟି ଭିନ୍ନ ଭିନ୍ନ ଫେରୋନସିକ୍‌ ଟିମ୍‌ ଆସି ପ୍ରମାଣ ପରଖି ଥିଲେ। ଶେଷରେ ପ୍ରମାଣ ଏବଂ ତଥ୍ୟ ଆଧାରରେ ସିବିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା। ସୂଚନାଯୋଗ୍ୟ,ଏହି ମାମଲାରେ ଅଟୋ ଚାଳକ ଲଖନ ବର୍ମା ଏବଂ ହେଲ୍‌ପର୍‌ ରାହୁଲ ବର୍ମାଙ୍କୁ ଗିରଫ କରାଯାଇଛି।

Related Posts