
୧ ଲକ୍ଷ ୪୩ ହଜାର ଲିଟର ମେଟ୍ରିକ ଟନ ଅମ୍ଳଜାନ ହସ୍ପିଟାଲକୁ ଯୋଗାଇ ସାରିଲେଣି
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ମହାମାରୀ ଦ୍ୱିତୀୟ ଲହରର ଉଗ୍ର ରୂପ ସାରା ଦେଶରେ କାୟା ବିସ୍ତାର କରିବା ପୂର୍ବରୁ କେହି ଭାବି ନଥିଲେ ଯେ, ଲୁହା ପଥର ତରଳା ଯାଇ ଇସ୍ପାତ ଉତ୍ପାଦନ କରୁଥିବା କାରଖାନା ଗୁଡିକ ଦେଶର କୋଟି କୋଟି କରୋନା ରୋଗୀଙ୍କ ପାଇଁ ଜୀବନ ରେଖା ପାଲଟିବ ବୋଲି । ସମସ୍ତଙ୍କର ନଜର ବିରାଟ ବିରାଟ ଫାର୍ମା କମ୍ପାନୀ ଓ ଟୀକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ଥିବା ବେଳେ ଅମ୍ଳଜାନ ସଙ୍କଟ ସବୁଠାରୁ ଭୟାନକ ସମସ୍ୟା ଭାବରେ ଦେଶ ଆଗରେ ଆଜି ଛିଡା ହୋଇଛି । ଏପରିସ୍ଥଳେ, ଇସ୍ପାତ କାରଖାନା ଗୁଡିକ ସଙ୍କଟ ମୋଚନ ଭାବରେ ଉଭା ହୋଇଛନ୍ତି । ଇସ୍ପାତ କାରଖାନାରୁ ଉତ୍ପାଦିତ ଅମ୍ଳଜାନ ଏବେ ଗୁରୁତର କରୋନା ରୋଗୀଙ୍କ ପାଇଁ ଶାହା । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ଦେଶର ପ୍ରମୁଖ ଷ୍ଟିଲ ପ୍ଲଣ୍ଟ ଗୁଡିକ ବିଭିନ୍ନ ରାଜ୍ୟକୁ ମୋଟ ୧ ଲକ୍ଷ ୪୩ ହଜାର ଲିଟର ମେଟ୍ରିକ ଟନ ଅମ୍ଳଜାନ ହସ୍ପିଟାଲକୁ ଯୋଗାଇ ସାରିଲେଣି । ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଇସ୍ପାତ କାରଖାନା ଗୁଡିକ ୩୯ ହଜାର ଟନ ମେଡିକାଲ ଅକ୍ସିଜେନ ଯୋଗାଇଛନ୍ତି । ମହାମାରୀର ଏଭଳି ବିପତ୍ତି ସମୟରେ ଦେଶର ଇସ୍ୱାତ କ୍ଷେତ୍ର ଦେଶବାସୀଙ୍କ ସହ ଅଛି ବୋଲି ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।
ଓଡିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ କଳିଙ୍ଗ ନଗରର ଟାଟା ଷ୍ଟିଲ ପ୍ଲାଣ୍ଟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉର୍ଦ୍ଧବ ଠାକରେଙ୍କର ଜରୁରୀକାଳିନ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଓଡିଶାରୁ ଏହି ସବୁ ରାଜ୍ୟକୁ ଅକ୍ସିଜେନ ପଠାଇବାରେ ସହାୟତା କରିଥିବାରୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ ।