
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ, ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ଯେତିକି ଅମ୍ଳଜାନ ଆବଶ୍ୟକ କରୁଛନ୍ତି ତା ‘ ଠାରୁ ଅଧିକ ଦିଆଯାଇଛି। ତେବେ ଏହାକୁ ସଠିକ୍ ଭାବେ ବ୍ୟବହାର କରିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନେ ମାଗିଥିବା (ଅମ୍ଳଜାନ) ,କୋଟାଠାରୁ ଅଧିକ ଦିଲ୍ଲୀକୁ ଯୋଗାଇ ଦିଆଯାଇଛି। ଏବଂ ଗତକାଲି ଦିଲ୍ଲୀ ସିଏମ୍ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ଏହି କୋଟାକୁ ଉପଯୁକ୍ତ ସମୟରେ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ” କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ କିଛି ଦିନ ହେବ ଅମ୍ଳଜାନର ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବାରମ୍ବାର ନିବେଦନ କରୁଥିଲେ। ଏବଂ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । ଏହାପୂର୍ବରୁ ଅମ୍ଳଜାନ ଅଭାବ ହେତୁ ଦିଲ୍ଲୀର ଏକ ଡାକ୍ତରଖାନାରେ 20 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ହର୍ଷ ବର୍ଦ୍ଧନ ଏହା ମଧ୍ୟ କହିଛନ୍ତି ଯେ ଅମ୍ଳଜାନ ପରିବହନରେ କେନ୍ଦ୍ର ଦିଲ୍ଲୀ ସରକାରଙ୍କୁ ସମସ୍ତ ସାହାଯ୍ୟ କରିଛି। “ଏହା ପୂର୍ବରୁ ଅମ୍ଳଜାନ ପରିବହନରେ ଅସୁବିଧା ହେଉଥିବା ଦିଲ୍ଲୀ ସିଏମ୍ କହିଥିଲେ । ଏହା ପରେ କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି ଯେ ପରିବହନରେ ଉପୁଜୁଥିବା ସମସ୍ୟାର ସମାଧାନ କରିବେ । ଏହା ବ୍ୟତୀତ ପରିବହନରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମହାମାରୀ ପରିଚାଳନାକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏବଂ ମେଡିକାଲ ଅମ୍ଳଜାନ ପରିବହନ ପାଇଁ ଟ୍ୟାଙ୍କର୍ ବ୍ୟବସ୍ଥା କରିବାକୁ କହିଥିଲେ। “ଏହା ନୁହେଁ ଯେ ଆପଣ କେବଳ ଲେଖିବେ ଏବଂ ଅପେକ୍ଷା କରିବେ। ଆପଣଙ୍କ ନୋଡାଲ୍ ଅଫିସ୍ କଣ କରୁଛି? ତିନି ଦିନ ମଧ୍ୟରେ ଆପଣଙ୍କୁ ଯୋଗାଣକାରୀ ସଂସ୍ଥାମାନଙ୍କ ସହ କଥା ହେବାକୁ ପଡିବ। ଯୋଗାଣ କେଉଁଠୁ ଆସୁଛି ଆପଣ ଜାଣିଥିବେ। ଯୋଗାଣକାରୀ ସଂସ୍ଥାମାନଙ୍କ ସହ ଯୋଗାଯୋଗରେ ରୁହନ୍ତୁ। ସବୁବେଳେ ଆମେ ଆପଣଙ୍କୁ ସାହାଯ୍ୟ କରି ପାରିବୁ ନାହିଁ । ” ବୋଲି କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଅପରପକ୍ଷରେ ଅରବିନ୍ଦ କେଜ୍ରିୱାଲ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ଅମ୍ଳଜାନର ଚାହିଦା ପୂରଣ କରିବା ପାଇଁ ସହାୟତା ଲୋଡିଥିଲେ। କେଜରିୱାଲ ଟୁଇଟ କରି କହିଛନ୍ତି, “ମୁଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ଯଦି ସେମାନଙ୍କ ପାଖରେ ଅମ୍ଳଜାନ ମହଜୁଦ୍ ଅଛି ତେବେ ଦିଲ୍ଲୀକୁ ଯୋଗାଇବା ପାଇଁ ଅନୁରୋଧ କରୁଛି। ” ଏହା ବ୍ୟତୀତ ସେ କେନ୍ଦ୍ର ସରକାରଙ୍କୁ ଟୁଇଟ କରି କରୋନା ମୁକାବିଲା ନେଇ ସହାୟତା ମାଗିଛନ୍ତି। ଗତ କିଛିଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର ଅନେକ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ଅନେକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି।