ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା; ତଦନ୍ତ ସଠିକ୍ ବାଟରେ ଯାଉନାହିଁ, ତୁରନ୍ତ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ତଦନ୍ତ ସଠିକ ବାଟରେ ଯାଉନାହିଁ । ଆଇନ ତା ବାଟରେ ଯାଉଥିବା କଥା କହୁଥିବା ସରକାରରେ ଆଇନକୁ ଭିନ୍ନ ବାଟରେ ନିଆଯାଉଛି । ଏବେ ଘଟଣାର ତଦନ୍ତ ଯେପରି ଭାବେ ଆଗଉଛି ସେପରି ତଦନ୍ତ ହେଲେ ଅଭିଯୁକ୍ତ ପାଖରେ ପୋଲିସ କେବେ ପହଞ୍ଚି ପାରିବ ନାହିଁ । ସେଥିପାଇଁ କୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଏସଆଇଟି ଗଠନ କରି ତଦନ୍ତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ଭାଇରାଲ ହେଉଥିବା ଅଡିଓକୁ ନେଇ ସେ କହିଛନ୍ତି ଯେ, ଘଟଣାରେ ସିଧାସଳଖ ରାଜ୍ୟ ସରକାରଙ୍କ ଜଣେ କ୍ଷମତାଶାଳୀ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଛି । ଯେତେବେଳେ ଭାଇରାଲ୍ ହେଉଥିବା ଅଡିଓରେ ମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଲାଣି । ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାରେ କାହିଁକି ସରକାର ବିଳମ୍ବ କରୁଛନ୍ତି । ଯେହେତୁ ଜଣେ ଉଚ୍ଚପଦାଧିକାରୀଙ୍କ ନାଁରେ ଅଭିଯୋଗ ଆସିଛି ସେଥିପାଇଁ ପୋଲିସ ତଦନ୍ତ ସଠିକ୍ ବାଟରେ ଯିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସରକାରଙ୍କ ଅସଲମୁଖା ପଦାରେ ପଡିଛି । ସ୍ୱଚ୍ଛ ଶାସନ ଓ ଉତ୍ତରଦାୟୀ ସରକାରର ସ୍ଲୋଗାନ ଦେଉଥିବା ସରକାରଙ୍କ ସ୍ଲୋଗାନ କୁଆଡେ ଗଲା ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କାହିଁକି ଆଇନ ତା ବାଟରେ ଯାଉନାହିଁ । ରାଜ୍ୟ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ଅସମର୍ଥ ହୋଇଛନ୍ତି । କଂଗ୍ରେସ ଏହି ପ୍ରସଙ୍ଗରେ ଚୁପ୍ ହୋଇ ବସିବ ନାହିଁ । ଦଳ ଆଗକୁ ଏନେଇ ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରୀ ବେହେରା କହିଛନ୍ତି ।

Related Posts