ରାଜ୍ୟରେ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ୩ ହଜାର ବେଡ ପ୍ରସ୍ତୁତ: ଡିଏମଇଟି ସିବକେ ମହାନ୍ତି

co

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ କରୋନ ସ୍ଥିତି ଆୟତ୍ତ ହେଉଥିବା ବେଳେ ବର୍ତ୍ତମାନ ଚିନ୍ତା ବଢାଇଛି ଶିଶୁ ସଂକ୍ରମଣ । ତେଣୁ ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି । ଏହା ଛଡା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି ଆବଶ୍ୟକ ପଡେ ତାହାଲେ ରାଜ୍ୟରେ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ ବୋଲି ସିବକେ ମହାନ୍ତି କହିଛନ୍ତି । ଅପରିପକ୍ଷେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ, ଆଇସିୟୁ ବେଡ, ଏଚଡିୟୁ ବେଡ, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ ଏବଂ ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ହୋଇଛି।

ତେଣୁ ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ବର୍ତ୍ତମାନ ପ୍ରକାଶ ହେଉଥିବା ମୃତ୍ୟୁ ଗତକାଲିର ମୃତ୍ୟୁ ନୁହେଁ । ଯାହା ଅଡିଟ ହେଉଛି, ତାହାକୁ ଦେଖାଯାଉଛି। ଅଡିଟ ସରିବା ପରେ ସବୁ ମୃତ୍ୟୁର ତଥ୍ୟ ସାର୍ବଜନୀନ କରାଯିବ। ଖୁବ୍ ଶୀଘ୍ର ପୂର୍ବର ମୃତ୍ୟୁର ଅଡିଟ ସରିଯିବ। ବର୍ତ୍ତମାନ ସମୟରେ ଖୁବ କମ କରୋନା ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ଡିଏମଇଟି ସିବକେ ମହାନ୍ତି କହିଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ଳହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ ଏବଂ ସିଏଚସି ଗୁଡିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ କୋଭିଡ ହସ୍ପିଟାଲଗୁଡିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ ସଂରକ୍ଷଣ କରାଯାଇଛି । ତେଣୁ ବର୍ତ୍ତମାନ ସ୍ଥିତିରେ ଅଯଥା ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ।

Related Posts