ଦୂଷିତ ଜଳ ଯୋଗାଣ ଯୋଗୁଁ ସୋନପୁରରେ ଶତାଧିକ ଲୋକ ଡାଇରିଆ ଆକ୍ରାନ୍ତ

ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଦୂଷିତ ପାଇପ୍ ଜଳଯୋଗାଣ ଯୋଗୁଁ ସୋନପୁର ସହରର ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଏବେ ବହୁ ସଂଖ୍ୟାରେ ରୋଗୀ ପଡ଼ିଛନ୍ତି । ସ୍ଥିତି ଏମିତି ଯେ ଡାକ୍ତରଖାନା ବାରଣ୍ଡା ଓ ଯିବା ଆସିବା ରାସ୍ତାରେ ମଧ୍ୟ ଡାଇରିଆ ରୋଗୀମାନେ ପଡିରହିଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ପଛରେ ରହିଛି ସରକାରୀ ଅବହେଳା ଓ ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ନୀତି ।

ସୋନପୁରରେ ଲୋକଙ୍କ ଏମିତି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ବିଭାଗୀୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ଯେଉଁ ସରକାରୀ ଅବହେଳା ଫଳରେ ଏମିତି ସ୍ଥିତି ଉତ୍ପନ୍ନ ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରି ସତ୍ୟପ୍ରକାଶ କହିଛନ୍ତି ଯେ

1) ଅଣ ପ୍ରଶିକ୍ଷିତ ଡିଏଲଆର / ଏନ୍ଏମ୍‌ଆରଙ୍କ ଦ୍ୱାରା ଜଳ ବିଶୋଧନ ପ୍ଲାଣ୍ଟ କରାଯାଉଛି । ଏଥିପାଇଁ ସର୍ବନିମ୍ନ BSC ସ୍ନାତକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ରଖିବାର ନିୟମ ଥିବା ବେଳେ ମାଟ୍ରିକ୍ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ଦ୍ୱାରା ଏହି କାମ କରାଯାଉଛି ।

2) ଆବଶ୍ୟକ ଓ ଉତ୍ତମ ମାନର କେମିକାଲସ୍ ବିଶୋଧନ ପାଇଁ ଯୋଗାଇ ଦିଆଯାଉ ନାହିଁ । ଯାହାର ପରିଣାମ ସ୍ୱରୂପ ଏହି ସ୍ଥିତି ଦେଖାଦେଇଛି ।

3) ସମୟାନୁସାରେ ଜଳ ନମୁନା ଲାବରେଟୋରୀରେ ପରୀକ୍ଷା କରାଯାଇନାହିଁ ।

4) ୨୦୧୨-୧୩ ମସିହାରେ ସୋନପୁର ଠାରେ ଏକ ନୂତନ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ୫ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏକ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସରିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ବି ୬ ବର୍ଷ ହେଲା କାହିଁକି ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

ସହରରେ ସ୍ୱରେଜ ସିଷ୍ଟମ ନାହିଁ – ସମସ୍ତ ଅଳିଆ ଓ ମଇଳା ପାଣି ଯାଇ ନଦୀରେ ମିଶୁଛି । ବାଲିରେ ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି ରାମେଶ୍ୱର ଘାଟ, ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ । ମହାନଦୀରୁ ସହରକୁ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ଜଳ ଦୂଷିତ ହୋଇଯାଇଥିବାରୁ ଏ ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ସ୍ଥିତିର ମୁକାବିଲା ପାଇଁ ପାଇପ୍ ପାଣି ବ୍ୟବହାର ନକରିବାକୁ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର କରିବାକୁ ଦାବି କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ।

ଏସବୁ କ୍ଷେତ୍ରରେ ଘୋର ଅବହେଳା କରାଯାଇଥିବା ସ୍ବୀକାର କରିଛନ୍ତି ଜିଲ୍ଲାର ଜନସ୍ୱାସ୍ଥ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ତେଣୁ ବିଭାଗୀୟ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Related Posts