ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡ଼ି ନ୍ୟୁଜ୍‌ ଆଙ୍କରଙ୍କର ମୃତ୍ୟୁ, ପୋଲିସ୍‌ କରୁଛି ତଦନ୍ତ

ଜୀ ନ୍ୟୁଜ୍‌ ରାଜସ୍ଥାନର ଆଙ୍କର ରାଧିକା କୌଶିକ ନୋଏଡାର ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଏକ ଫ୍ଲାଟ୍‌ରେ ରହୁଥିଲେ । ଗୁରୁବାର ରାତି ପ୍ରାୟ ସାଢ଼େ 3ଟା ବେଳେ ଅଚାନକ ସେ ଚତୁର୍ଥ ମହଲାରୁ ତଳକୁ ପଡ଼ିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଗଲା ।

ଦିଲ୍ଲୀ ନିଟକସ୍ଥ ଉତ୍ତରପ୍ରଦେଶର ନୋଏଡାର ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡ଼ି ଜୀ ନ୍ୟୁଜ୍‌ର ଆଙ୍କର ରାଧିକା କୌଶିକଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଜୀ ନ୍ୟୁଜ୍‌ର ଏକ ଆଞ୍ଚଳିକ ଚ୍ୟାନେଲ୍‌ରେ ଆଙ୍କର ଥିଲେ । ଘଟଣା ସମୟରେ ସେହି ଚ୍ୟାନେଲ୍‌ର ଜଣେ ଆଙ୍କର ବି ସେଠାରେ ଉପସ୍ଥିତ ଥିଲେ । ପୋଲିସ୍‌ ମାମଲାର ତଦନ୍ତ କରୁଛି ।

ଘଟଣା ନୋଏଡା ଥାନା 49 ଅଞ୍ଚଳର । ଯେଉଁଠି ସେକ୍ଟର 77ରେ ଥିବା ଅନ୍ତରୀକ୍ଷ ଫରରେଷ୍ଟ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଜୀ ନ୍ୟୁଜ୍‌ ରାଜସ୍ଥାନର ଆଙ୍କର ରାଧିକା କୌଶିକ ଏକ ଫ୍ଲାଟ୍‌ରେ ରହୁଥିଲେ । ଗୁରୁବାର ରାତିରେ ପ୍ରାୟ ସାଢ଼େ 3ଟା ବେଳେ ଅଚାନକ ସେ ଚତୁର୍ଥ ମହଲାରୁ ତଳକୁ ଖସି ପଡ଼ିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା ।

ଘଟଣା ସମୟରେ ତାଙ୍କ ଫ୍ଲାଟ୍‌ରେ ଜୀ ନ୍ୟୁଜ୍‌ ରାଜସ୍ଥାନର ଜଣେ ପୁରୁଷ ଆଙ୍କର ରାହୁଲ ଅବସ୍ତୀ ବି ଉପସ୍ଥିତ ଥିଲେ । ଆପାର୍ଟମେଣ୍ଟର ଗାର୍ଡଙ୍କର ସୂଚନା ଆଧାରରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା । ପୋଲିସ୍‌ ମୃତ ଆଙ୍କରଙ୍କର ଫ୍ଲାଟ୍‌ରେ ତଦନ୍ତ ବେଳେ ସେଠାରୁ ବହୁ ମଦ ବୋତଲ ଜବତ କରିଛି ।

ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ମୃତ ରାଧିକା ଓ ରାହୁଲ ଅବସ୍ତୀ ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ଉଭୟଙ୍କ ମଧ୍ୟରେ କିଛି ଯୁକ୍ତି ତର୍କ ହୋଇଥିଲା । ରାହୁଲଙ୍କ ଅନୁସାରେ ସେ ଟଏଲେଟ୍‌ ଯାଇଥିବାବେଳେ, ରାଧିକା ତଳକୁ ପଡ଼ିଯାଇଥିଲେ । ତେବେ ରାଧିକା ଦୁର୍ଘଟଣାବଶତଃ ତଳକୁ ପଡ଼ିଗଲେ ତା ସେ ଆତ୍ମହତ୍ୟା କରିଛନ୍ତି, ପୋଲିସ୍‌ ସବୁ ଦିଗକୁ ତଦନ୍ତ କରୁଛି ।

ପୋଲିସ୍‌ କହିଛି ଯେ ଏହି ଘଟଣା ରାତି 3.30 ସମୟରେ ହୋଇଛି । ଗାର୍ଡ ପୋଲିସ୍‌କୁ ସୂଚନା ଦେଇଥିଲା । ରାଧିକାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆହୁରି ମଧ୍ୟ ଖବର ମିଳିଛି ସେହି ଫ୍ଲାଟ୍‌ରେ ରାତିରେ ପାର୍ଟି ଲାଚିଥିଲା । ସେହି ଫ୍ଲାଟ୍‌ରେ ରାଧିକାଙ୍କ ସହ ଆଉ ଦୁଇ ଜଣ ଯୁବତୀ ବି ରହୁଥିଲେ । କିନ୍ତୁ ଘଟଣା ସମୟରେ ସେମାନେ ସେଠାରେ ନ ଥିଲେ । ଦୁଇ ଜଣ ଯୁବତୀ କଲ୍‌ ସେଣ୍ଟରରେ ଚାକିରି କରନ୍ତି । ସେମାନଙ୍କର ନାଇଟ୍‌ ସିଫ୍ଟ ଥିଲା ।

ପୋଲିସ୍‌ର କହିବା ଅନୁସାରେ ରାଧିକା କୌଶିକ ଗତ 4 ମାସ ହେଲା ସେହି ଫ୍ଲାଟ୍‌ରେ ରହୁଥିଲେ । ତଲାସୀ ସମୟରେ ସେହି ଫ୍ଲାଟ୍‌ରୁ ପୋଲିସ୍‌ ବହୁ ବୋତଲ ଜବତ କରିଛି । ଏହି ମାମଲାରେ ପୋଲିସ୍‌ ରାହୁଲ ଅବସ୍ତୀକୁ ଅଟକ ରଖି ପଚରାଉଚୁରା କରୁଛି । ଆତ୍ମହତ୍ୟା, ଦୁର୍ଘଟଣା ନା ହତ୍ୟା ଏ ନେଇ ତଦନ୍ତ କରୁଛି ପୋଲିସ୍‌ ।

Related Posts