ତୈଳଦର ସମ୍ପର୍କରେ ଧର୍ମେନ୍ଦ୍ର ବାବୁଙ୍କୁ ପ୍ରତିପ୍ରଶ୍ନ ପଚାରିବା ପାଇଁ ସାମ୍ବାଦିକଙ୍କୁ ଟୁଲକିଟ୍

ରଙ୍ଗା ଚରଣ ପ୍ରଧାନ
ମୁଖପାତ୍ର, ଆପ୍ ଓଡ଼ିଶା

ଭାରତର ଅନ୍ୟ ଅଞ୍ଚଳ ସହିତ ଓଡ଼ିଶାରେ ବି ଅନେକ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କାକୁ ଛୁଇଁଲାଣି । ଡିଜେଲ ଦର ବି ସମତାଳରେ ବଢ଼ିଛି ।  ଯେତେବେଳେ ବି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବିଷୟରେ ପ୍ରଶ୍ନ କରାଯାଇଛି ସେ ବୃଦ୍ଧିର କାରଣ ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ।  ସେ ମନ୍ତବ୍ୟ ପରେ ସେଠାରେ ଉପସ୍ଥିତ ସାମ୍ବାଦିକଗଣ ତାଙ୍କୁ ପ୍ରତିପ୍ରଶ୍ନ ପଚାରୁ ନାହାନ୍ତି । ସେହିପରି ତାଙ୍କ ଦଳ ବିଜେପି ନେତାମାନେ ମଧ୍ୟ ଏ ବିଷୟରେ କୈାଣସି ପ୍ରତିପ୍ରଶ୍ନର ସମ୍ମୁଖୀନ ହେଉ ନାହାନ୍ତି । କେବଳ ଏକତରଫା ବୟାନ ବ୍ରେକିଂ ନ୍ୟୁଜ୍ ହୋଇଯାଉଛି । ଏଣିକି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତିପ୍ରଶ୍ନ ପଚାରିବା ପାଇଁ ସାମ୍ବାଦିକମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଟୁଲକିଟ୍ ପ୍ରସ୍ତୁତ ହୋଇଛି ।

(୧) ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି ଯେ ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ପାଉଛି ବୋଲି ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଛି । 

ଅବଶ୍ୟ ଏକଥା ସତ ଅଟେ । ଗତବର୍ଷ ଜୁନ୍ ମାସରେ ଭାରତ ଆନ୍ତର୍ଜାତିକ ବଜାରରୁ ବ୍ୟାରେଲ୍ ପ୍ରତି ହାରାହାରି ୪୦.୬୩ ଡଲାରରେ ପେଟ୍ରୋଲିୟମ କିଣୁଥିଲା । ବର୍ତମାନ ତାହା ହାରାହାରି ୭୪ ଡଲାରରେ କିଣୁଛି । କିନ୍ତୁ ୨୦୧୩ ମସିହା ଜୁନ୍ ମାସରେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦର ଯେତେବେଳେ ବ୍ୟାରେଲ୍ ପ୍ରତି ପ୍ରାୟ ୧୦୧ ଡଲାର ଥିଲା ସେତେବେଳେ  ଆମ ଦେଶରେ ପେଟ୍ରୋଲ ଦର ୭୭ ଟଙ୍କା ମଧ୍ୟରେ ଥିଲା । ସେତେବେଳଠାରୁ ଆଜି ପର୍ଯ୍ୟନ୍ତ  ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦର ୩୦% କମିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୩୦% ବୃଦ୍ଧି ପାଇଛି । ତେଣୁ ସାମ୍ବାଦିକମାନେ ଚାହିଁଲେ ତୈଳମନ୍ତ୍ରୀଙ୍କୁ ପଚାରିପାରିବେ ଯେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦର ବ୍ୟାରେଲ ପ୍ରତି ୧୦୧ ଡଲାର ଥିବା ବେଳେ ଭାରତରେ ଯଦି ପେଟ୍ରୋଲ ୭୭ ଟଙ୍କାରେ ମିଳୁଥିଲା, ଏବେ ୭୪ ଡଲାର ଥିବା ବେଳେ ଲୋକେ କାହିଁକି ୧୦୦ ଟଙ୍କାରେ କିଣିବେ ? 

ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାର ୨୦୧୪ ମସିହା ମଇ ମାସରେ ଶାସନ କ୍ଷମତାକୁ ଆସିଥିଲା । ସେହିଦିନ ଠାରୁ ୨୦୧୬ ଜାନୁଆରୀ ମଧ୍ୟରେ ତାଙ୍କ ସରକାର ୯ ଥର ପେଟ୍ରୋଲ ଓ ଡିଜେଲ ଉପରେ ଏକସାଇଜ୍ ଡ୍ୟୁଟି ବଢ଼ାଇଥିଲେ । ଗତବର୍ଷ ମାର୍ଚ୍ଚ ଓ ମଇ ମାସରେ ମଧ୍ୟ ଏକ୍ସାଇଜ୍ ଡ୍ୟୁଟି ବଢିଥିଲା । ପ୍ରତିଥର ଏହି ଡ୍ୟୁଟି ବଢ଼ାଇବା ବେଳେ ତାଙ୍କ ସରକାର କହିଥିଲେ ଯେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦର କମୁଥିବାରୁ ଖାଉଟିଙ୍କ ବୋଝ ସମାନ ରଖିବା ପାଇଁ ତାହା ଉପରେ ସରକାର ସେହି ଅନୁପାତରେ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇଛନ୍ତି । ତେଣୁ ସ୍ଵାଭାବିକ ଭାବେ, ଏବେ ଯେତେବେଳେ ଆନ୍ତର୍ଜାତିକ ବଜାରରେ ଦର ବଢ଼ିଛି ସେତେବେଳେ ଖାଉଟିଙ୍କ ବୋଝ କମାଇବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇବା ଉଚିତ୍ ନୁହେଁ କି ?

(୨) ତୈଳଦର ଉପରେ ସରକାରଙ୍କର କୈାଣସି ନିୟନ୍ତ୍ରଣ ନାହିଁ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲ୍ୟାମେଣ୍ଟରେ ଏହି ଉତ୍ତର ରଖିଥିଲେ । ଆଗରୁ ସରକାର ଆଡମିନଷ୍ଟ୍ରେଟିଭ୍ ପ୍ରାଇସ୍ ମେକାନିଜିମ୍ ଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ନିଜେ ସ୍ଥିର କରୁଥିଲେ । ୨୦୧୦ ମସିହାରେ କଂଗ୍ରେସ ସରକାର ଓ ୨୦୧୪ ମସିହାରେ ବିଜେପି ସରକାର ଯଥାକ୍ରମେ  ପେଟ୍ରୋଲ ଓ ଡିଜେଲ ପାଇଁ ଉକ୍ତ ନିୟନ୍ତ୍ରଣ ହଟାଇଦେଲେ ‌। ତେଣୁ ଏହା ପରେ ଦେଶର ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରୁଛନ୍ତି । 

ଏଠାରେ କିନ୍ତୁ ସରକାର ଗୋଟିଏ କଥା କହୁ ନାହାନ୍ତି । ଏହି ତୈଳ କମ୍ପାନୀଗୁଡ଼ିକ ମଧ୍ୟରୁ ସିଂହଭାଗ ହେଉଛି ସରକାରଙ୍କ ପେଟ୍ରୋଲିୟମ ବିଭାଗ ଅଧିନରେ ଯାହାର ମନ୍ତ୍ରୀ ନିଜେ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ନିଜ ଦଳ ଓ ନେତାଙ୍କ ମହିମା ମଣ୍ଡନ କରି ବିଜ୍ଞାପନ ପାଇଁ ସେ ଏହି  କମ୍ପାନୀଗୁଡ଼ିକୁ ବ୍ୟବହାର କରି ପାରୁଛନ୍ତି । କିନ୍ତୁ ସେହି କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର କେତେ ରଖିବେ ସ୍ଥିର କରିବାବେଳକୁ ମନ୍ତ୍ରୀ ଶ୍ରୀ ପ୍ରଧାନ କହୁଛନ୍ତି ଯେ ସେଥିରେ ସେମାନଙ୍କର କୈାଣସି ଭୁମିକା ନାହିଁ । ଆଉ ଗୋଟିଏ କଥା ହେଉଛି ଯେ କେନ୍ଦ୍ର ସରକାର ବିମାନ ଯାତ୍ରା ଟିକେଟ ଅତ୍ୟଧିକ ନ ବଢିବା ପାଇଁ ଉଚ୍ଚତମ ଦର ସ୍ଥିର କରୁଛନ୍ତି, ଅଥଚ ସାଧାରଣ ଲୋକ ବ୍ୟବହାର କରୁଥିବା ପେଟ୍ରୋଲ ଓ ଡିଜେଲକୁ ବଜାର ଶକ୍ତି ଉପରେ ଛାଡି ଦେଇଛନ୍ତି । 

ତେବେ ସତରେ କ’ଣ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ସରକାର କୈାଣସି ହସ୍ତକ୍ଷେପ କରୁ ନାହାନ୍ତି ? ଯଦି ସେମିତି ହେଉଥାନ୍ତା ତେବେ ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ଆସନ୍ନ ଥିବା ବେଳେ ବହୁ ମାସ ଧରି ଏହି ଦୁଇଟି ଜିନିଷର ଦାମ୍ ବଢେ ନାହିଁ ଓ ଭୋଟ ଦାନ ସରିବା ମାତ୍ରେ ପ୍ରାୟ ସବୁଦିନ ଏସବୁର ଦର କାହିଁକି ପରିବର୍ତ୍ତନ ହୁଏ ?

(୩) ଟୀକାକରଣ ପାଇଁ ପ୍ରଚୁର ଟଙ୍କା ଆବଶ୍ୟକ ହେଉଥିବାରୁ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇବାକୁ ପଡୁଛି । 

ଚଳିତବର୍ଷ ବଜେଟରେ ସରକାର ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ‌। ମଇ ମାସରେ ସରକାର  ୫୩ କୋଟି ଟିକା ଟିକା ଯୋଗାଇବା ପାଇଁ ସେରମ୍ ଇନିଷ୍ଟିଚ୍ୟୁଟକୁ ୩୬୩୯.୬୭ କୋଟି ଓ ଭାରତ ବାୟୋଟେକକୁ ୧୧୦୪ କୋଟି ଟଙ୍କା , ଏମିତି ମୋଟ ପ୍ରାୟ ୪୭୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଜୁନ୍ ୮ ତାରିଖରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସରକାର ଅଗଷ୍ଟ ପରଠାରୁ ଆହୁରି ୪୪ କୋଟି ଟିକା ଯୋଗାଇବା ପାଇଁ ଏହି ଦୁଇଟି କମ୍ପାନୀକୁ ୩୦% ଅଗ୍ରୀମ ଦେଇଛନ୍ତି । ତେଣୁ ଟିକା ପ୍ରତି ୧୫୦ ଟଙ୍କା ଦରରେ ସରକାର ଏଥିପାଇଁ ୧୯୮୦ କୋଟି ଟଙ୍କା ଖର୍ଚ୍ଚ କରିଥିବେ । କାହିଁକି ନା, ୪୪ × ୧୫୦ × ୩୦% = ୧୯୮୦ କୋଟି । ଏହା ବାଦ୍ ସରକାର କୋଭାକ୍ସିନ ପରୀକ୍ଷା ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  ବୋଲି  ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ତେଣୁ ସରକାରଙ୍କଠାରୁ ପାରଦର୍ଶିତାର ସହ ଯଥେଷ୍ଟ ସୁଚନା ଆସୁନଥିବାରୁ, ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ସରକାରଙ୍କ ବୟାନ ଆଧାରରେ ଆମେ କହିପାରିବା ଯେ ଟିକା ବାବଦରେ ସରକାର ଏପର୍ଯ୍ୟନ୍ତ ମୋଟ ୬୭୪୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା କି ବ୍ୟୟବରାଦ ୩୫୦୦୦ କୋଟି ଟଙ୍କାର ପ୍ରାୟ ୧୯% ଅଟେ । ଯଦି ସରକାର ଏପର୍ଯ୍ୟନ୍ତ ବ୍ୟୟବରାଦର ମାତ୍ର ୧୯% ଖର୍ଚ୍ଚ କରିଛନ୍ତି ତାହେଲେ ଟିକା କିଣା ବାହାନାରେ ଏବେ ଠାରୁ କାହିଁକି ଆମ ଠାରୁ ଚଢା ଦରରେ ଏକ୍ସାଇଜ୍ ଡ୍ୟୁଟି କୁଟି ନେଉଛନ୍ତି ? 

ଏହା ବ୍ୟତୀତ ସାମ୍ବାଦିକମାନେ ଆଉ ଗୋଟିଏ ସରଳ ପ୍ରଶ୍ନ ପଚାରି ସେମାନଙ୍କ ପାଠକ ଓ ଦର୍ଶକମାନଙ୍କୁ ଏକ ନିର୍ବୋଧତାବୋଧରୁ ରକ୍ଷା କରିପାରିବେ । ସେହି ପ୍ରଶ୍ନଟି ହେଲା, ସରକାର ଯଦି ସମୁଦାୟ ଖର୍ଚ୍ଚ ବଜେଟରୁ ଟିକା ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ସେହି ମୋଟ ଖର୍ଚ୍ଚ ପାଇଁ କ’ଣ ଆୟ ବରାଦ କରି ନାହାନ୍ତି ? ଏହା କିପରି ସମ୍ଭବ ? ବଜେଟରେ ଯଦି ମୋଟ ବ୍ୟୟଠାରୁ ମୋଟ ଆୟ ଅଧିକ ଥାଏ ତେବେ ତାହାକୁ ନିଅଣ୍ଟିଆ ବଜେଟ୍ କୁହାଯାଏ । ତାହେଲେ ସରକାର ଏହି ମୋଟ ନିଅଣ୍ଟ ପରିମାଣ ଭରିବା ପାଇଁ ଏକ୍ସାଇଜ୍ ଡ୍ୟୁଟି ବଢାଇଛନ୍ତି । ବିଭିନ୍ନ ଖର୍ଚ୍ଚ ପାଇଁ ନିଅଣ୍ଟକୁ ଭରିବା ପାଇଁ କୈାଣସି ସରକାର ବିଭିନ୍ନ ସ୍ବତନ୍ତ୍ର ଟିକସ ବୃଦ୍ଧି କରନ୍ତି ନାହିଁ । ଚଳିତବର୍ଷ କେନ୍ଦ୍ର ସରକାର ମୋଟ ୧୨ ଲକ୍ଷ କୋଟି ଟଙ୍କାର ନିଅଣ୍ଟର ସାମ୍ନା କରିବେ । ତେଣୁ ଧର୍ମେନ୍ଦ୍ରବାବୁ କେବଳ ଟିକାର ବାହାନା ନିଅନ୍ତୁ ନାହିଁ ।  

 ଅତି କମରେ ଓଡ଼ିଶା ମିଡ଼ିଆ ତାଙ୍କୁ ଟୁଲକିଟରେ  ଥିବା ଏହି ସ୍ବାଭାବିକ ପ୍ରଶ୍ନଟିକୁ  ପଚାରି ପାରିବେ । 

(୪) ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଲୋକଙ୍କୁ ୧ ଲକ୍ଷ କୋଟି ଟଙ୍କାର ଖାଦ୍ୟାନ୍ନ ଦିଆ ଯାଉଥିବାରୁ ସେହି ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ଟିକସ ନିଆଯାଉଛି । 

ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୟାନ ଦେଇଥିବାର ଆପଣ ଅନେକ ଥର ଶୁଣିଥିବେ । ପ୍ରକୃତରେ କିନ୍ତୁ ଏହା ହେଉଛି ଅସତ୍ୟ । ସରକାର ଦେଉଥିବା ଖାଦ୍ୟାନ୍ନ ଭାରତୀୟ ଖାଦ୍ୟ ନିଗମର ଭଣ୍ଡାରରେ ରହିଥାଏ । ଭାରତୀୟ ଖାଦ୍ୟ ନିଗମ ପ୍ରତିବର୍ଷ ଦେଶର ଚାଷୀମାନଙ୍କ ଠାରୁ ଖାଦ୍ୟାନ୍ନ କିଣିଥାଏ ।  ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଖାଦ୍ୟାନ୍ନ ବାଣ୍ଟିବା  ପାଇଁ ନିଗମ ବର୍ତ୍ତମାନ ଚାଷୀମାନଙ୍କ ଠାରୁ ଅତିରିକ୍ତ  ଚାଉଳ କିମ୍ୱା ଗହମ କିଣୁ ନାହାନ୍ତି । ଗତ ଜାନୁଆରୀ ୧ ତାରିଖରେ  ନିଗମ ଭଣ୍ଡାରରେ ଯେତିକି ଖାଦ୍ୟଶସ୍ୟ ରହିବା କଥା ପ୍ରକୃତରେ ତାହାର ଅଢେଇଗୁଣ ଖାଦ୍ୟଶସ୍ୟ ଥିଲା । ତେଣୁ ସରକାର ଅତିରିକ୍ତ ଖାଦ୍ୟଶସ୍ୟ କିଣିବା ପାଇଁ  ନିଗମକୁ ବଜେଟ୍ ବ୍ୟୟ ବରାଦଠାରୁ ଅଧିକ ୧ ଲକ୍ଷ କୋଟି ଟଙ୍କା ଦେବାର କୌଣସି କାରଣ ନାହିଁ । ଚଳିତ ବର୍ଷ ସରକାର ଖାଦ୍ୟଶସ୍ୟ କିଣିବା ପାଇଁ ନିଗମକୁ ଯେତିକି ଟଙ୍କା ଦେବେ ସେଥିପାଇଁ ବଜେଟରେ ଆୟ ବରାଦ ମଧ୍ୟ ହୋଇଛି । ଆଉ ପୁଣି ଭାରତୀୟ ଖାଦ୍ୟ ନିଗମରେ ଏବେ ଯେତିକି ଖାଦ୍ୟଶସ୍ୟ ମହଜୁଦ ଅଛି ସେଥିପାଇଁ ସରକାର ପୁର୍ବ ବର୍ଷ ମାନଙ୍କରେ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ।  ଅତଏବ ସରକାର ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଲୋକଙ୍କୁ ଅଧିକ ଖାଦ୍ୟାନ୍ନ ଦେଉଛନ୍ତି ସତ, କିନ୍ତୁ ସେଥିପାଇଁ ସରକାର ପୁର୍ବ ବର୍ଷ ମାନଙ୍କରେ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ପୂର୍ବରୁ ଥିବା ଖାଦ୍ୟାନ୍ନ ଏବେ ବାଣ୍ଟୁଛନ୍ତି । 

(୫) ଅତିରିକ୍ତ ଏକ୍ସାଇଜ୍ ଆଦାୟ ଇନଫ୍ରାଷ୍ଟ୍ରାକ୍ଚରରେ ଖର୍ଚ୍ଚ ହେବ ଯାହା ରୋଜଗାର ସୃଷ୍ଟି କରିବ । 

ନିକଟରେ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସଦ୍ୟତମ ବୟାନରେ ଏକଥା କହିଛନ୍ତି । ଦେଶରେ ଇନଫ୍ରାଷ୍ଟ୍ରାକ୍ଚରର ଆବଶ୍ୟକତା ରହିଛି ଏବଂ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କେନ୍ଦ୍ର ସରକାର ଏଥିପାଇଁ ଅଧିକ ୧.୧୫ ଲକ୍ଷ କୋଟି ଟଙ୍କା ବା ୨୬% ଖର୍ଚ୍ଚ କରିବେ ବୋଲି ବଜେଟରେ ବ୍ୟୟ ବରାଦ କରିଛନ୍ତି । ଏକଥା ମଧ୍ୟ ସତ ଯେ ଇନଫ୍ରାଷ୍ଟ୍ରାକ୍ଚର ତିଆରି ହେଲେ ରୋଜଗାର ସୃଷ୍ଟି ହେବ । 

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଥିପାଇଁ ଥିଲାବାଲା ବା ଅପେକ୍ଷାକୃତ ଥିଲାବାଲାଙ୍କ ଠାରୁ ଟଙ୍କା ଆଦାୟ ନକରି ଅଦ୍ୟାବଧି କରୋନାଜନିତ ରୋଜଗାର ହାନି ଓ ଆୟ ହାନି ଦ୍ବାରା ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ଠାରୁ କାହିଁକି ଟଙ୍କା ଅସୁଲ କରାଯିବ ? 

ସାମ୍ବାଦିକମାନେ ଯଦି ଚାହିଁବେ ନିମ୍ନ ଲିଖିତ ଘଟଣା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିବେ । 

(କ) ଗତ ୧୨ ବର୍ଷରେ ପ୍ରଥମ ଥର ପାଇଁ ଗତବର୍ଷ ସରକାର ବ୍ୟକ୍ତିଗତ ଆୟକର ଅପେକ୍ଷା କମ୍ପାନୀଗୁଡ଼ିକ ଦେଉଥିବା ଆୟକର ବା କରପୋରେଟ୍ ଟ୍ୟାକ୍ସ ଅଧିକ ଆଦାୟ କରିଛନ୍ତି । ଗତବର୍ଷ ୪.୫୭ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟ୍ୟାକ୍ସ ଆଦାୟ ହୋଇଥିବା ବେଳେ ୪.୬୯ ଲକ୍ଷ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ଆଦାୟ ହୋଇଛି । ଏହା ପୁଣି ଏପରି ସମୟରେ ହୋଇଛି, ଯେତେବେଳେ କରୋନା ମହାମାରୀ ସତ୍ତ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ବଡ଼ ବଡ଼ କମ୍ପାନୀମାନେ ରେକର୍ଡ ପରିମାଣର ଲାଭ କମେଇଛନ୍ତି । ଗତବର୍ଷ ସେମାନଙ୍କର ଲାଭ ଜିଡିପିର ୨.୬%ରେ ପହଞ୍ଚିଛି ଯାହା ୨୦୧୪-୧୫ ପରଠାରୁ ସର୍ବାଧିକ । ଏପରି ହେବାର ପ୍ରମୁଖ କାରଣ ହେଉଛି ସରକାର ୨୦୧୯ ସେପ୍ଟେମ୍ବରରେ କର୍ପୋରେଟ ଟ୍ୟାକ୍ସ ୩୦%ରୁ ୨୨%କୁ କମାଇଛନ୍ତି ଓ ନୂଆ ଉତ୍ପାଦନ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ ଟ୍ୟାକ୍ସ ୨୫%ରୁ କମାଇ ୧୫% କରି ଦେଇଛନ୍ତି । 

(ଖ) ସାଧାରଣତଃ ସରକାର ପ୍ରତିବର୍ଷ ପରୋକ୍ଷ ଟିକସ ଅପେକ୍ଷା ପ୍ରତ୍ୟକ୍ଷ ଟିକସ ଅଧିକ ଆଦାୟ କରନ୍ତି । ଧନୀ ଗରିବ ଓ ସାଧାରଣ ଲୋକ ସମସ୍ତେ ଜିଏସଟି, ଭ୍ୟାଟ୍ ଆଦି ପରୋକ୍ଷ ଟିକସ ଦିଅନ୍ତି । ଅନ୍ୟ ପକ୍ଷରେ ଅଧିକ ଆୟକାରୀ ବ୍ୟକ୍ତି ଓ କମ୍ପାନୀମାନେ  ଇନକମ୍ ଟ୍ୟାକ୍ସ ଓ କର୍ପୋରେଟ ଟ୍ୟାକ୍ସ ଆଦି ପ୍ରତ୍ୟକ୍ଷ ଟିକସ ଦେଇଥାନ୍ତି । 

ଗତବର୍ଷ ସରକାର ଆଦାୟ କରିଥିବା ପ୍ରତ୍ୟକ୍ଷ ଟିକସ ଜିଡିପିର ୪.୭% ଥିବାବେଳେ, ପରୋକ୍ଷ ଟିକସ ରହିଛି ଜିଡିପିର ୫.୪% । ମୋଟାମୋଟି ଭାବରେ ଏହାର ଅର୍ଥ ହେଲା ଥିଲାବାଲାଙ୍କ ଅପେକ୍ଷା ଅପେକ୍ଷାକୃତ ନଥିଲାବାଲା ଅଧିକ ଟିକସ ଦେଇଛନ୍ତି । ଗତ ୧୩ ବର୍ଷରେ ଏପରି ଦ୍ବିତୀୟ ଥର ହୋଇଛି ।  ପ୍ରତ୍ୟକ୍ଷ ଟିକସ ମଧ୍ୟରୁ କର୍ପୋରେଟ ଟ୍ୟାକ୍ସ ଦର କିପରି କମାଇ ଦିଆଗଲା ତାହା ପୁର୍ବରୁ ଉଲ୍ଲେଖ ହୋଇଛି । ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ  ବ୍ୟକ୍ତିଗତ ଆୟକର ଛାଡ଼ ସୀମା ମଧ୍ୟକୁ ୩.୫ ଲକ୍ଷରୁ ବଢାଇ ୫ ଲକ୍ଷ କରି ଦିଆଯାଇଛି । 

(ଗ) ସବୁଠାରୁ ବଡ଼ ଆଚମ୍ବିତ କଥା ହେଉଛି ଯେ ଗତବର୍ଷ ସରକାର କର୍ପୋରେଟ ଟ୍ୟାକ୍ସ ଯେତିକି ଆଦାୟ କରିଛନ୍ତି, ବ୍ୟକ୍ତିଗତ ଆୟକର ଯେତିକି ଆଦାୟ କରିଛନ୍ତି , ଲୋକେ ପେଟ୍ରୋଲ ଓ ଡିଜେଲ କିଣି ସରକାରଙ୍କୁ ତାହା ଠାରୁ ଅଧିକ ଟିକସ ଦେଇଛନ୍ତି ।

କର୍ପୋରେଟ ଟ୍ୟାକ୍ସ- ୪.୫୭ଲକ୍ଷ କୋଟି ଟଙ୍କା

ବ୍ୟକ୍ତିଗତ ଆୟକର – ୪.୫୭ ଲକ୍ଷ କୋଟି ଟଙ୍କା

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଓ ଭ୍ୟାଟ୍ ମିଶାଇ – ୫.୨୫ କୋଟି ଟଙ୍କା ।

ଏହା ଏକ ବିରଳ ଓ ଦୁଃଖଦ ବିଡ଼ମ୍ବନା । ଏହାର ସରଳ ଅର୍ଥ ହେଲା ଯେ ଇନଫ୍ରାଷ୍ଟ୍ରାକ୍ଚର ତିଆରି ପାଇଁ ସରକାର କମ୍ପାନୀଗୁଡ଼ିକ ଠାରୁ ଯେତିକି ଟିକସ ଆଦାୟ କରୁଛନ୍ତି ତାହାଠାରୁ ଅଧିକ ବ୍ୟକ୍ତିଗତ ଆୟକର ଆଦାୟ କରୁଛନ୍ତି ଏବଂ ତାହାଠାରୁ ଆହୁରି ଅଧିକ ଟଙ୍କା ସାଧାରଣ ଲୋକମାନେ ପେଟ୍ରୋଲ ଓ ଡିଜେଲ କିଣି ସରକାରଙ୍କୁ ଦେଉଛନ୍ତି । ଏପରି କାହିଁକି ହେଉଛି ଧର୍ମେନ୍ଦ୍ରବାବୁ ?

ଅବଶ୍ୟ ସାମ୍ବାଦିକମାନେ ଚାହିଁଲେ କିମ୍ବା ମିଡ଼ିଆ ମାଲିକମାନେ ଅନୁମତି ଦେଲେ ଏହା ସେମାନେ ଧର୍ମେନ୍ଦ୍ର ବାବୁଙ୍କୁ ପଚାରି ପାରନ୍ତି । 

(୬) ରାଜ୍ୟମାନେ ଭ୍ୟାଟ୍ କମାନ୍ତୁ ।

ଯେବେ ଯେବେ ପେଟ୍ରୋଲ ଓ ଡିଜେଲ ଦର ବଢୁଛି ସାମ୍ବାଦିକମାନେ ରାଜ୍ୟର ବିଜେପି ନେତୃବୃନ୍ଦଙ୍କୁ ଭେଟି ପ୍ରତିକ୍ରିୟା ନେବାକୁ ଚାହିଁଲେ ସେମାନେ ଏହି କଥା କହିଥାନ୍ତି । ସାମ୍ବାଦିକମାନେ ଏହା ପରେ ପ୍ରତିପ୍ରଶ୍ନ ନ ପଚାରି ନେତାଙ୍କ ବୟାନକୁ ବ୍ରେକିଂ ନ୍ୟୁଜ୍ କରି ଛାଡ଼ି ଦିଅନ୍ତି । ଏଣିକି ସେମାନେ ଯଦି ଏହି ବୟାନର ଭିତରକୁ ଯାଇ ପରବର୍ତ୍ତୀ ପ୍ରଶ୍ନ ପଚାରିବାକୁ ଚାହାନ୍ତି ତେବେ ନିମ୍ନଲିଖିତ ତଥ୍ୟକୁ ଧ୍ୟାନ ଦେବା ଆବଶ୍ୟକ । 

ଓଡ଼ିଶାର ଉଦାହରଣ ନିଆଯାଉ । ଓଡ଼ିଶା ସରକାର ଗତବର୍ଷ ମଇ ମାସରେ ପେଟ୍ରୋଲ ଉପରେ ଭ୍ୟାଟ୍ ଦର ୨୬%ରୁ ବଢାଇ ୩୨% ଏବଂ ଡିଜେଲ ଉପରେ ୨୬%ରୁ ବଢାଇ ୨୮% କଲେ । ସେତେବେଳେ ଉଭୟର ଦାମ୍ ଯଥାକ୍ରମେ ୭୧.୬୯ ଟଙ୍କା ଓ ୬୭.୭୩ ଟଙ୍କା ହୋଇଥିଲା । ତା ପର ଠାରୁ ଓଡ଼ିଶା ସରକାର ଆଉ ଭ୍ୟାଟ୍ ବଢାଇନାହାନ୍ତି । ତାହେଲେ ଏବେ ପେଟ୍ରୋଲ ଦର କାହିଁକି ୧୦୦ ଟଙ୍କା ହେଲା ? 

ଆଉ ଗୋଟିଏ ଉଦାହରଣ ନିଅନ୍ତୁ । ଗତବର୍ଷ ଦିଲ୍ଲୀ ସରକାର ଡିଜେଲ ଉପରେ ଭ୍ୟାଟ୍ ଦର ୩୦%ରୁ କମାଇ ୧୬.୭୫% କରିବା ଫଳରେ ଡିଜେଲ ଦର ୮୨ ଟଙ୍କାରୁ କମି ୭୪ ଟଙ୍କା ହୋଇଥିଲା । ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦିଲ୍ଲୀରେ ଡିଜେଲ ଦର ୮୯ ଟଙ୍କା ହୋଇଯାଇଛି । ତା ମାନେ କୈାଣସି ରାଜ୍ୟ ସରକାର ଭ୍ୟାଟ ଦର କମାଇଲେ ମଧ୍ୟ ଉପଭୋକ୍ତାଙ୍କୁ ନିସ୍ତାର ନାହିଁ ।

ଏକଥା ସତ ଯେ କେନ୍ଦ୍ର ସରକାର ଯେତେ ଏକ୍ସାଇଜ୍ ବଢେଇବେ ରାଜ୍ୟ ସରକାରଙ୍କର ମଧ୍ୟ ଭ୍ୟାଟ୍ ସଂଗ୍ରହ ବଢିଯିବ । ସେହିପରି କେନ୍ଦ୍ର ସରକାର ଯଦି ଏକ୍ସାଇଜ୍ ଡ୍ୟୁଟି ୧ ଟଙ୍କା କମାଇବେ ତାହେଲେ ରାଜ୍ୟ ସରକାରଙ୍କ ଭ୍ୟାଟ ଆଦାୟ ଆପେ ଆପେ ୩୨ ପଇସା କମିଯିବ । 

କେନ୍ଦ୍ର ସରକାର ଆଦାୟ କରୁଥିବା ଏକ୍ସାଇଜ୍ ଡ୍ୟୁଟି ମଧ୍ୟରୁ ନିଜେ ୫୯% ରଖନ୍ତି ଓ ବାକି ୪୧% କୁ ରାଜ୍ୟ ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି । ଏହି ହିସାବରେ କେନ୍ଦ୍ର ନେଉଥିବା ଏକ୍ସାଇଜ୍ ଡ୍ୟୁଟିରୁ ଓଡ଼ିଶାକୁ ମଧ୍ୟ ୪୧% ଭାଗ ମିଳୁଛି ବୋଲି କେହି କହି ବିଜେପି ନେତା କହିଥାନ୍ତି । ଅବଶ୍ୟ ଏହି ୪୧% ଏକ ଛୋଟିଆ ଭାଗ ନୁହେଁ । କିନ୍ତୁ ଏହି ଏକ୍ସାଇଜ୍ ଡ୍ୟୁଟି ମଧ୍ୟରେ ଅନେକ ପ୍ରକାରର ସେସ୍ ଅଛି ଯେଉଁଥିରୁ ରାଜ୍ୟଗୁଡ଼ିକୁ ଭାଗ ମିଳେନାହିଁ । କେନ୍ଦ୍ରର ବିଜେପି ସରକାର କାଳକ୍ରମେ ଏକ୍ସାଇଜ୍ ଡ୍ୟୁଟି ମଧ୍ୟରୁ ସେସ୍ ଅ‍ଂଶଟିକୁ ବଢାଇ ଚାଲିଛି । ଏହା ମଧ୍ୟରେ ଥିବା ବେସିକ୍ ଏକ୍ସାଇଜ୍ ଡ୍ୟୁଟି କମିବାରେ ଲାଗିଛି ଯେଉଁଥିରୁ ରାଜ୍ୟ ମାନଙ୍କୁ ୪୧% ଭାଗ ମିଳେ । ବର୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପ୍ରତି ପ୍ରାୟ ୩୨ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଛନ୍ତି ‌। ରାଜ୍ୟ ସରକାରଗୁଡିକୁ କିନ୍ତୁ ଏହି ୩୨ ଟଙ୍କାର  ୪୧% ମିଳୁନାହିଁ । ଏହି ୩୨ ଟଙ୍କାରୁ ସେସ୍ ବାଦ୍ ଦେଇ ବାକି ଅଂଶରୁ ୪୧% ଦିଆଯାଉଛି । ଫଳସ୍ବରୁପ ରାଜ୍ୟ ସରକାରଙ୍କ ପ୍ରକୃତ ଭାଗ କମି କମି ଏବେ ଏମିତି ଅବସ୍ଥାରେ ପହଞ୍ଚିଛି ଯେ କେନ୍ଦ୍ର ସରକାର ଆଦାୟ ତ କରୁଛି ୩୨ ଟଙ୍କା, କିନ୍ତୁ ସେଥିରୁ ରାଜ୍ୟ ମାନଙ୍କୁ ମିଳୁଛି ପେଟ୍ରୋଲରେ ଲିଟର ପ୍ରତି ୧.୫୦ ଟଙ୍କା ଓ ଡିଜେଲରେ ୧.୮୦ ଟଙ୍କା । 

ତେଣୁ ଗୋଟିଏ ପଟରେ ଏକ୍ସାଇଜ୍ ଡ୍ୟୁଟିରୁ ରାଜ୍ୟର ପ୍ରକୃତ ଭାଗ କମାଇ ପୁଣି ସେମାନଙ୍କୁ ଭ୍ୟାଟ୍ କମାଇବାକୁ କହିବା ଠିକ୍ କି ?

(୭) ପୂର୍ବ ସରକାର ଅଏଲ୍ ବଣ୍ଡ ମାଧ୍ୟମରେ କରିଥିବା ଋଣ ସୁଝିବାକୁ ପଡୁଛି ।

ଯେତେବେଳେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦର ବହୁତ ଅଧିକ ଥିଲା ସେତେବେଳେ ଭାରତୀୟ ତୈଳ କମ୍ପାନୀମାନଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ଓ ଗ୍ରାହକଙ୍କ ଉପରେ ବୋଝ ନ ପକାଇବା ପାଇଁ ୨୦୦୯ ଓ ୨୦୧୦ରେ ତତ୍କାଳୀନ କେନ୍ଦ୍ର ସରକାର ବଣ୍ଡ ଜାରି କରି ଋଣ ଆଣିଥିଲେ । ଏଥିମଧ୍ୟରୁ ୧୭୫୦ କୋଟି ଟଙ୍କାର ଦୁଇଟି ବଣ୍ଡ ଆର୍ଥିକ ବର୍ଷ ୨୦୧୪-୧୫ରେ ସୁଝା ସରିଛି  ।  ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସୁଝାଯିବାକୁ ବାକି ଥିବା ମୋଟ ବଣ୍ଡର ମୂଲ୍ୟ ଥିଲା ୧୩୦୯୨୩ କୋଟି ଟଙ୍କା । ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ୫୦୦୦ କୋଟି ଟଙ୍କାର ଆହୁରି ୨ଟି ବଣ୍ଡ ଋଣ ପରିଶୋଧ କରାଯିବାର ଅଛି । ଏଥି ସହିତ ବାର୍ଷିକ ସୁଧକୁ ମିଶାଇ ଋଣ ସୁଝିବା ପାଇଁ ମୋଟ ୧୯୫୦୦ କୋଟି ଟଙ୍କା ଦିଆଯିବ । 

ତେବେ ଏବର୍ଷ ସରକାର ଦେବାକୁ ଥିବା ଏହି ୧୯୫୦୦ କୋଟି ଟଙ୍କା ସରକାର ଆଦାୟ କରୁଥିବା ଟିକସ ତୁଳନାରେ ବହୁତ କମ୍ । ଗତବର୍ଷ ସରକାର ତାଙ୍କ ବଜେଟରେ ଲକ୍ଷ ରଖିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଉପରୁ ୨.୬୭ ଲକ୍ଷ କୋଟି ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଆୟ କରିବେ । କିନ୍ତୁ ବର୍ଷ ଶେଷରେ ଦେଖାଗଲା ଆଦାୟ କରିଛନ୍ତି ୩.୬୧ ଲକ୍ଷ କୋଟି ଟଙ୍କା । ସେହିପରି ଚଳିତ ବର୍ଷ ପାଇଁ ସରକାର ଏ ବାବଦରେ ୩.୨ ଲକ୍ଷ କୋଟି ଟଙ୍କା । ଏତେ ବଡ଼ ବଡ଼ ରାଶି ତୁଳନାରେ ଏବର୍ଷ ପରିଶୋଧ ହେବାକୁ ଥିବା ଅଏଲ୍ ବଣ୍ଡ ଜନିତ ଋଣ ଅତି ନଗଣ୍ୟ । ଏହା କେବେ ଖାଉଟିମାନଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର କାରଣ ହୋଇ ନପାରେ ।

(୮) ପରିବେଶ ସୂରକ୍ଷା ପାଇଁ ଦର ବଢା ଯାଉଛି ।  

ବେଳେ ବେଳେ , ବିଶେଷକରି ହ୍ବାଟସପ୍ ମାଧ୍ୟମରେ ଏ ଯୁକ୍ତି ମଧ୍ୟ ଶୁଣିବାକୁ ମିଳୁଛି ।‌ ଅଧିକ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହେଉଥିବାରୁ ପରିବେଶରେ କାର୍ବନ ମାତ୍ରା ବଢୁଛି ଓ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ସୃଷ୍ଟି ହେଉଛି । ତେଣୁ ପେଟ୍ରୋଲ ଓ ଡିଜେଲ ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ଏହି ଦୁଇଟି ଜିନିଷର ଦାମ୍ ବଢାଯାଉଛି ବୋଲି କୁହାଯାଉଛି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଆହୁରି ଅନେକ ରାସ୍ତା ଅଛି । ଅଣପାରମ୍ପରିକ ଶକ୍ତିର ସ୍ରୋତ ପାଇଁ ପ୍ରୋତ୍ସାହନ ବଢାଯିବା, ଏକ ଦୃଢ଼ ସାର୍ବଜନୀନ ପରିବହନ ବ୍ୟବସ୍ଥା ତିଆରି କରିବା , ସଡ଼କ ଇନଫ୍ରାଷ୍ଟ୍ରାକ୍ଚର ଦୃଢ଼ କରିବା, ବିଦ୍ୟୁତ୍ ଚାଳିତ ଯାନବାହାନ ପାଇଁ ପ୍ରୋତ୍ସାହନ ବଢାଇବା ଆଦି ପଦକ୍ଷେପ ଦ୍ବାରା ପେଟ୍ରୋଲ ଓ ଡିଜେଲର ବ୍ୟବହାର କମ୍ କରିହେବ । କେବଳ ମାତ୍ର ଉପଭୋକ୍ତାଙ୍କ ଉପରେ ଟିକସ ବଢାଇ ଏହା କରିହେବ ବୋଲି ଭାବିବା ଏକ ଦୁର୍ଭାଗ୍ୟଜନକ ଭାବନା ।

ଶେଷରେ ଓଡ଼ିଶାର ମିଡ଼ିଆ ଓ ସାମ୍ବାଦିକମାନଙ୍କୁ ଅନୁରୋଧ , ତାଙ୍କ ପାଠକ, ଦର୍ଶକ ଓ ସାଧାରଣ ଜନତା ଏକ ଭୟଙ୍କର ବେରୋଜଗାରି, ଆୟହାନୀ ଓ ଦରଦାମ ବୃଦ୍ଧିରେ ଅକଥନୀୟ କଷ୍ଟ ଭୋଗୁଥିବା ବେଳେ ସେମାନେ ଜନତାଙ୍କ ସହ ଠିଆ ହୋଇ ଏସବୁ ପ୍ରତିପ୍ରଶ୍ନ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ । ସେ କ’ଣ ଖାଇବାକୁ ଭଲ ପାଆନ୍ତି, ସେ ପରିବାର ପାଇଁ କେମିତି ସମୟ ବାହାର କରନ୍ତି ଓ ସେ କେଉଁ ତାରିଖରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଏସବୁ ଦରବାରୀ ଖବର ପାଇଁ ବର୍ତ୍ତମାନ ସମୟ ଠିକ୍ ନୁହେଁ ।

Related Posts