ବିଦ୍ୟୁତ ଗ୍ରାହକଙ୍କୁ ଝଟକା; ଖୋର୍ଦ୍ଧା ଅଂଚଳରୁ ଲାଇନ କାଟିବା ଆରମ୍ଭ କଲା ସେସୁ

ବିଦ୍ୟୁତ ଗ୍ରାହକଙ୍କୁ ଝଟକା । ବିଦ୍ୟୁତ କାଟ ପାଇଁ ସରିଲା ଡେଡଲାଇନ । ଆଜି ଖୋର୍ଦ୍ଧାରେ ବିଦ୍ୟୁତ କାଟ ଆରମ୍ଭରୁ ବିଦ୍ୟୁତ ବକେୟା ପୈଠ  ନ କରିଥିବା ୫୩ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ ବିଚ୍ଛିନ୍ନ କରିଛି । ବିଦ୍ୟୁତ ବିଲ ବକେୟା ଥିବା ସଂସ୍ଥାର ବିଜୁଳି କଟାଯାଇଛି । ସେସୁ ପକ୍ଷରୁ ନିୟୋଜିତ ଥିବା ୩୯ଟି ସ୍କ୍ୱାର୍ଡ଼ ଦ୍ୱାରା ଆଜି ଖୋର୍ଦ୍ଧାରୁ ଚାଲିଛି ଲାଇନ କାଟ । ଆଜି ଠାରୁ ଏକାଦିକ୍ରମେ ନୁହେଁ ବରଂ ୩ଟି ପର୍ଯ୍ୟାୟରେ ଲାଇନ କାଟିବାକୁ ନିଷ୍ପତ୍ତି ନିଆଯାଇଛି। ସେସୁର ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ଵାର୍ଡ କାମ କରିବେ।

ବିଦ୍ୟୁତ ବକେୟା ପୈଠ କରିବାର ପାଇଁ ଗତକାଲି ଯାଏଁ ସମୟ ଦେଇଥିଲା ସେସୁ ।  ବିଲ୍ ଦେଉ ନଥିବା ଗାଁରେ ବିଦ୍ୟୁତ୍ କାଟ ହେବା ନେଇ ପୂର୍ବରୁ  ସେସୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ପ୍ରଥମେ ବକେୟା ରଖିଥିବା କମର୍ସିଆଲ ସଂସ୍ଥାର ଲାଇନ୍ କଟାଯିବ ବୋଲି ସେସୁ ସୂଚନା ଜାରି କରିଥିଲା । ୨ୟ ପର୍ଯ୍ୟାୟରେ ଅଧିକ ବକେୟା ରଖିଥିବା ଘରୋଇ ଉପଭୋକ୍ତାଙ୍କୁ ଟାର୍ଗେଟ କରାଯିବ। ଏହା ସହ ବକେୟା ରଖିଥିବା ବିତ୍ତଶାଳୀ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ। କେବଳ ସେତିକି ନୁହେଁ ଆୟକର ଦେଉଥିବା ସତ୍ତ୍ଵେ ବିଦ୍ୟୁତ୍ ବିଲ୍ ଦେଉନଥିବା ଲୋକଙ୍କ ଲାଇନ୍ ମଧ୍ୟ କଟିବ। ୩ୟ ପର୍ଯ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କୁ ୩ୟ ପର୍ଯ୍ୟାୟରେ ଟାର୍ଗେଟ୍ କରାଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବକେୟା ବିଦ୍ୟୁତ ବିଲ ପୈଠ ହୋଇନି । ଏଯାବତ ବକେୟା ରଖିଥିବା ୭ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ପୈଠ କରିଛନ୍ତି । ବକେୟା ଥିବା ୧୯୭୧ କୋଟିରୁ ମାତ୍ର ୨୧ କୋଟି ଟଙ୍କା ଆଦାୟ ହୋଇଛି । ବିଦ୍ୟୁତ କାଟିବାକୁ ୧୧, ୩୯୭ ଗାଁକୁ ଚିହ୍ନଟ କରାଯାଇଛି । ବିଦ୍ୟୁତ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କରାଯାଇଛି । ବିଦ୍ୟୁତ ବିଲ ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି । ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି । ସରକାରୀ ଅନୁଷ୍ଠାନ ଉପରେ ୬୪ କୋଟି ୩୬ ଲକ୍ଷ ବାକି ରହିଛି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ ବକେୟା ମାର୍ଚ୍ଚ ସୁଦ୍ଧା ପୈଠ କରିବେ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଥିଲା ।

Related Posts