
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା । ଡାକ୍ତରଙ୍କ ଅନୁପସ୍ଥିତିରେ ମୋବାଇଲ୍ ଟର୍ଚ୍ଚରେ ରୋଗୀସେବା କଲେ ସୁଇପର । ଯାହା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଚାନ୍ଦବାଲି କୋର୍ଟର ନୂଆ କୋଠାକୁ ପୁରୁଣା ଅଫିସ ଜିନିଷସବୁ ଏକ ପିକ୍ଅପ୍ ଗାଡ଼ିରେ ନିଆଯାଉଥିବା ବେଳେ ଗାଡ଼ିରେ ଥିବା କୋର୍ଟ ପେସ୍କାର ରମେଶ ମାଝୀଙ୍କ ମୁଣ୍ଡରେ ନୂତନ କୋଠାର ବିମ୍ ବାଜି ଗଭୀର ଆଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା।
ଡାକ୍ତରଖାନାର ଡାକ୍ତର ସୌମ୍ୟରଞ୍ଜନ ସ୍ବାଇଁ ତାଙ୍କୁ ଚିକିତ୍ସା କରି ମୁଣ୍ଡରେ ଆଘାତ ଲାଗିଥିବାରୁ ଷ୍ଟିଚ୍ କରିବାକୁ କହି ଚାଲି ଯାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କେହି ନର୍ସ ନ ଥିବାରୁ ସେଠାରେ ଚିକିତ୍ସା ବେଳେ ମେଡିକାଲର ସୁଇପର ସୁବାସ ଦାସ ରମେଶଙ୍କ ମୁଣ୍ଡରେ ଗଭୀର କ୍ଷତକୁ ଷ୍ଟିଚ୍ କରିଥିଲେ। ଆଉ ଜଣେ ବ୍ୟକ୍ତି ଷ୍ଟିଚସୂତା, କଇଁଚି ବଢାଇ ଦେଉଥିଲେ। ଯଦିଓ ଡାକ୍ତରଖାନାରେ ବିଦ୍ୟୁତ ଥିଲା ତଥାପି ଦେଖାଯାଉନଥିବାରୁ ମୋବଇଲ ଟର୍ଚ୍ଚରେ ରୋଗୀଙ୍କର ଚିକିତ୍ସା ହେଉଥିଲା। ରମେଶଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ ପଡିଥିଲା ଶେଷରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲ।
ଏଠାରେ ପ୍ରଶ୍ନ ଉଠୁଛି ଡାକ୍ତର ଥାଉ ଥାଉ ଡାକ୍ତରଖାନାର ସୁଇପର ରୋଗୀ ସେବା କରିବା ସ୍ବାସ୍ଥ୍ୟସେବାର ବାସ୍ତବ ସ୍ଥିତି ସ୍ପଷ୍ଟ ବାରି ହୋଇପଡୁଛି। ସେପଟେ ପୂର୍ବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଇପର ହାଡ଼ଭଙ୍ଗା ରୋଗୀକୁ ଚିକିତ୍ସା କରିବା, ଡାକ୍ତର ମୋବାଇଲ ଟର୍ଚ୍ଚରେ ରୋଗୀ ଚିକିତ୍ସା କରିବା ଘଟଣାରେ ଏଡିଏମଙ୍କ ତଦନ୍ତ ରିପୋର୍ଟ ଫାଇଲ ତଳେ ଚାପି ହୋଇ ରହିଥିବା ବେଳେ ପୁଣି ଆଜି ଜଣେ ସୁଇପର ରୋଗୀ ଚିକିତ୍ସା କରିବା ଡାକ୍ତରଖାନାକୁ ବିବାଦକୁ ଟାଣି ଆଣିଛି। ଏନେଇ ଡାକ୍ତରଖାନାର ଡାକ୍ତର ଶ୍ରୀ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ରୋଗୀଙ୍କୁ ଚିକିତ୍ସା କରିସାରିଛି। କର୍ମଚାରୀ ଅଭାବରୁ ସୁଇପର ଷ୍ଟିଚ୍ ପକାଉଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।