(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ବିଶ୍ୱର ବିଭିନ୍ନ ଦେଶ ଗୁଡିକରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବା ଆରମ୍ଭ କରିଥିବାରୁ ସେଠାରେ ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ୍ ଲୋକଙ୍କୁ ଦେବାକୁ ଯୋଜନା ଆରମ୍ଭ ହୋଇଛି। ଏ ନେଇ ବିଶେଷଜ୍ଞ ମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । ଭାରତରେ ମଧ୍ୟ ଲୋକଙ୍କୁ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ର ଆବଶ୍ୟକ ରହିଛି କି ? ଏହାକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ଏହାର ଜବାବ ରଖିଛନ୍ତି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ। ଗୁଲେରିଆ କହିଛନ୍ତି ଯେ, ‘ ଭାରତରେ ବୁଷ୍ଟର ଡୋଜ୍ର ଆବଶ୍ୟକ ରହିଛି ବୋଲି ଏଯାଏ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ତେଣୁ ଏହା ଉପରେ ଏବେ କିଛି ବି ମତ ରଖିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି।
ତେବେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଇସ୍ରାଏଲ ଭଳି ଅନେକ ଦେଶ ଏବେ କରୋନା ଟିକାର ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା ଟିକାର ବୁଷ୍ଟର ଡୋଜ୍ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପୂର୍ବାପେକ୍ଷା କରୋନାରୁ ଅଧିକ ସୁରକ୍ଷା ଦେଉଥିବା ନେଇ ବିଭିନ୍ନ ପରୀକ୍ଷାରୁ ଜାଣିବାକୁ କହିଛନ୍ତି। ହେଲେ ଡା ଗୁଲେରିଆ ବର୍ତ୍ତମାନ ସ୍ଥିତିରେ ଭାରତରେ ବୁଷ୍ଟର ଡୋଜ୍ର ଆବଶ୍ୟକ ନାହିଁ ବୋଲି କହିଛନ୍ତି।
ଗୁଲେରିଆ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ବୁଷ୍ଟର ଡୋଜ୍ ଏବେ ଦରକାର ବୋଲି କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ଏପରି କି ସଂକ୍ରମଣ ଆଶଙ୍କା ଥିବା ଲୋକ କିମ୍ବା ବୟସ୍କଙ୍କ ପାଇଁ ମଧ୍ୟ ବୁଷ୍ଟର ଡୋଜ୍ ଦରକାର କି ନାହିଁ, ସେ ସମ୍ପର୍କରେ ମଧ୍ୟ କିଛି ବି ସ୍ପଷ୍ଟ ତଥ୍ୟ ମିଳି ନାହିଁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ବୁଷ୍ଟର ଡୋଜ୍ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି, ତା’ର ତଥ୍ୟ ହାସଲ କରିବାକୁ ପଡ଼ିବ ବୋଲି ଏମ୍ସ ମୁଖ୍ୟ ଡା ଗୁଲେରିଆ କହିଛନ୍ତି।
ଏ ଦିଗରେ ଗବେଷଣାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଆଉ କିଛି ମାସ ଅପେକ୍ଷା ମଧ୍ୟ କରିବାକୁ ହେବ। ବୁଷ୍ଟର ଡୋଜ୍ ସମ୍ପର୍କରେ ଧୀରେଧୀରେ ତଥ୍ୟ ଆସୁଛି। ସମ୍ଭବତଃ ଆସନ୍ତା ବର୍ଷ ଆରମ୍ଭ ବେଳକୁ ଆମ ପାଖରେ ଉପଯୁକ୍ତ ତଥ୍ୟ ଆସିଯାଇଥିବ। ଏହାପରେ ଆମକୁ କେଉଁ ପ୍ରକାରର ବୁଷ୍ଟର ଡୋଜ୍ ଦରକାର ଓ କେଉଁମାନେ ଏହାକୁ ନେବା ଉଚିତ୍, ସେକଥା ଆମେ ସମସ୍ତେ ଜାଣିପାରିବା ବୋଲି ସେ କହିଛନ୍ତି।
ବର୍ତ୍ତମାନ ଯଦି ଆମେ ବିଶ୍ୱର ସ୍ଥିତିକୁ ଆକଳନ କରିବା, ତା’ହେଲେ ଟିକା ନେଇଥିବା ଲୋକମାନେ ଗୁରୁତର ହେଉନାହାନ୍ତି। ସେହିପରି ଟିକା ନେଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହାର ସେତେ ଅଧିକ ନୁହେଁ। ଭାରତରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ବ୍ରିଟେନରେ ସଂକ୍ରମଣ ଦ୍ରୁତିଗତିରେ ବଢ଼ିଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ବୁଷ୍ଟର ଡୋଜ୍ କଥା ଚିନ୍ତା କରିବା ପୂର୍ବରୁ ଆମକୁ ଅନେକ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଆମକୁ ଉପଲବ୍ଧ ଥିବା ଟିକାର ବୁଷ୍ଟର ଡୋଜ୍ ବ୍ୟବହାର କରିବାକୁ ପଡ଼ିବ କି ? ଆମକୁ କୌଣସି ନୂଆ ଟିକାର ଆବଶ୍ୟକ ରହିଛି କି ? କ’ଣ ଆମେ ମିକ୍ସିଡ ଟିକା ବ୍ୟବହାର କରିପାରିବା ? ଏସବୁର ତଥ୍ୟ ହାସଲ ହେବା ପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ସେ କହିଛନ୍ତି।