
ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କୁ ଏବେ ଏବେ ସବୁ ଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ, ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଆଜି ଅର୍ଚ୍ଚନା । ତାଙ୍କୁ ଝାରପଡ଼ା ଜେଲ୍ରୁ କଡ଼ା ସୁରକ୍ଷା ବଳୟ ଭିତରେ କୋର୍ଟରେ ପହଞ୍ଚାଯାଇଛି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାର ଶୁଣାଣି ପାଇଁ ସେ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ପରିସରରେ ଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ।’
ପ୍ରବଳ ଭିଡ ଭିତରେ ସେ ଗଣମାଧ୍ୟମକୁ ଏହି ପଦକ କଥା କହୁଥିବା ଶୁଣିବାକୁ ମିଳିଥିଲା। ଜନୈକ ଯୁବତୀଙ୍କ ସହ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିବା ଧମକ ଦେଇ ଅର୍ଚ୍ଚନା ନାଗ ତିନି କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି। ନୂଆପଲ୍ଳୀ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି।
ଗତ ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଅଶ୍ଳୀଳ ଫଟୋ ଓ ତାଙ୍କ ବିରୋଧରେ ଏକ ଏତଲା କପି ଘୂରି ବୁଲିଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପରିଜା ରାତାରାତି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହେଲେ। ଅଭିଯୋଗ ଥିଲା, ଜଣେ ଯୁବତୀ ଓ ଅର୍ଚ୍ଚନା ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରଖିଛନ୍ତି। ଉକ୍ତ ଫଟୋ ଡିଲିଟ୍ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲ୍ରେ ତାଙ୍କୁ ୩ କୋଟି ଟଙ୍କା ମଗା ଯାଇଥିଲା। ମାତ୍ର ମୂଲଚାଲରେ ରାଜି ନ ହେବାରୁ ଯୁବତୀ ଓ ଅର୍ଚ୍ଚନା ସେସବୁ ଭାଇରାଲ୍ କରିଛନ୍ତି ବୋଲି ଶ୍ରୀ ପରିଜା ଅଭିଯୋଗ ଆଣିଥିଲେ। ଏଭଳି ଏକ ସଙ୍ଗିନ୍ ଅଭିଯୋଗ ଆଣିବା ପରେ ନୂଆପଲ୍ଲୀ ଥାନା ପୁଲିସ ଦଫା ୩୮୪, ୩୮୫, ୩୮୭, ୫୦୬, ୧୨୦-ବି ଓ ଆଇଟି ଆକ୍ଟ ୬୭ରେ ମାମଲା ରୁଜୁ କରିଥିଲା। ନିଜେ ଥାନା ଅଧିକାରୀ ବିଶ୍ବରଂଜନ ସାହୁ ଏହାର ତଦନ୍ତ ଆରମ୍ଭ କରିଥିଲେ ।
ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ନାଗ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ରହିଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।