ୱାସିଂଟନ୍‌ :ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ତଥା ଡାକ୍ତର ଏନ୍ଥନୀ ଫୌଚି ନିଜ ପଦ ଛାଡ଼ିବେ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନ୍ୟାସନାଲ ଇନିଷ୍ଟିଚିଉଟ୍‌ ଅଫ ଆଲର୍ଜି ଏଣ୍ଡ ଇଂଫେକ୍ସିଅସ ଡିଜିଜ୍‌ର ନିର୍ଦ୍ଦେଶକ ଓ ରାଷ୍ଟ୍ରପତି ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ ସେ ଆଉ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଡାକ୍ତର ଏନ୍ଥୋନି ଫୌଚିଙ୍କର ବହୁତ ଭଲ ଏବଂ ସ୍ୱତନ୍ତ୍ର ସମ୍ପର୍କ ରହିଛି।

ମୁଁ ମୋ କ୍ୟାରିଅର୍‌ର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ପାଇଁ ଚଳିତ ବର୍ଷ ଡିସେମ୍ୱରରେ ଏହି ପଦକୁ ଛାଡ଼ିବି ବୋଲି ଡାକ୍ତର ଏନ୍ଥୋନି ଫୌଚି କହିଛନ୍ତି। ସେ ତାଙ୍କର ଏହି ଭୂମିକାକୁ ଲାଇଫ୍‌ ଟାଇମ୍‌ ଆଚିବ୍‌ମେଣ୍ଟ ସମ୍ମାନ ବୋଲି କହିଛନ୍ତି।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଏକ ବୟାନ୍‌ ଜାରିକରି ତାଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆପଣ ତାଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶନ୍ତୁ କିମ୍ୱା ନମିଶନ୍ତୁ କିନ୍ତୁ ସେ ତାଙ୍କ କର୍ତ୍ତବ୍ୟ ମାଧ୍ୟମରେ ସମସ୍ତ ଆମେରିକୀୟଙ୍କ ଜୀବନକୁ ଛୁଇଁଛନ୍ତି। ତାଙ୍କ ଜନସେବା ପାଇଁ ମୁଁ ତାଙ୍କୁ ହୃହୟରୁ ଧନ୍ୟବାଦ ଦେଉଛି। ତାଙ୍କ ପାଇଁ ଆମେରିକା ସଶକ୍ତ, ଅଧିକ ଯୁକ୍ତିଯୁକ୍ତ ଓ ସୁସ୍ଥ ରହିଛି।