ଯଦି ମନୀଷ ସିଶୋଡିଆଙ୍କୁ ଭାରତ ରତ୍ନ ଦିଆଯିବ, ତାହେଲେ କେଜ୍ରିୱାଲଙ୍କୁ ନୋବେଲ ପୁରସ୍କାର ଦିଅ: ବି ଏଲ୍ ସନ୍ତୋଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆଙ୍କ ଘରେ ସିବିଆଇ ରେଡ୍ ପରେ ଆପ ଓ ବିଜେପି ମଧ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଗତକାଲି ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମନୀଷ ସିଶୋଡିଆଙ୍କୁ ଭାରତ ରତ୍ନ ଦେବା କଥା କହିଥିଲେ। ଏହି ମନ୍ତବ୍ୟକୁ ନେଇ କେଜ୍ରିୱାଲଙ୍କୁ ଜୋରଦାର କଟାକ୍ଷ କରିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ବି ଏଲ୍ ସନ୍ତୋଷ। ସନ୍ତୋଷ ଟୁଇଟ୍ କରି କେଜ୍ରିୱାଲ ଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମନୀଷଙ୍କ ପାଇଁ ଭାରତ ରତ୍ନ ଦାବି କରିବା ପରେ କେଜ୍ରିୱାଲ ନିଜ ପାଇଁ ନୋବେଲ ପୁରସ୍କାର ପାଇଁ ଦାବି କରି ପାରନ୍ତି।

ତେବେ ଟୁଇଟରରେ ସନ୍ତୋଷ କଟାକ୍ଷ କରି ଲେଖିଛନ୍ତି ଯେ, “ସତ୍ୟନ୍ଦ୍ର ଜୈନଙ୍କୁ ପଦ୍ମ ବିଭୂଷଣ, ମନୀଷ ସିଶୋଡିଆଙ୍କୁ ଭାରତ ରତ୍ନ ଓ ପରବର୍ତ୍ତୀ ନୋବେଲ ପୁରସ୍କାର ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଉ।” ଏହାସହିତ ଆମ ଆଦମୀ ପାର୍ଟିକୁ ସନ୍ତୋଷ ଏକ ଆରଜକ ପାର୍ଟି ବୋଲି କହି ମଧ୍ୟ ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆଙ୍କ ଘରେ ସିବିଆଇ ରେଡ୍ କରିଥିଲା। ଏହାକୁ ନେଇ ବିଜେପିକୁ ଜୋରଦାର ସମାଲୋଚନା କରିଥିଲେ ଅରବିନ୍ଦ କେଜ୍ରିୱାଲ। ଗୁଜୁରାଟ ଗସ୍ତରେ ଥିବା କେଜ୍ରିୱାଲ କହିଥିଲେ ଯେ, ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାକୁ ସିଶୋଡିଆ ବିଶ୍ବସ୍ତରୀୟ କରିଛନ୍ତି। ତାଙ୍କୁ ଭାରତ ରତ୍ନ ଦେବା କଥା ମାତ୍ର ବିଜେପି ତାଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ସିବିଆଇ ରେଡ୍ କରାଉଛି। କେଜ୍ରିୱାଲଙ୍କ ଏହି ବୟାନ ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜୋରଦାର ପ୍ରତିକ୍ରିୟା ସାମ୍ନା କୁ ଆସିଛି। ଏହାସହିତ ବହୁ ବିଜେପି ନେତା କେଜ୍ରିୱାଲଙ୍କ ବୟାନକୁ ନେଇ ତାଙ୍କୁ କଟାକ୍ଷ ମଧ୍ୟ କରୁଛନ୍ତି

Related Posts