
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧକ୍ଷା ସୋନିଆ ଗାନ୍ଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହାରି ମଧ୍ୟରେ କିଏ ଆଗକୁ କଂଗ୍ରେସର ମଙ୍ଗ ସମ୍ଭାଳିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ସୋନିଆ ନିଜ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ପୁଣି ଥରେ ଦାୟିତ୍ବ ନେବାକୁ ଚାହୁଁ ନାହାନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ମଧ୍ୟ ୨୦୧୯ ନିର୍ବାଚନ ରେ ପରାଜୟ ପାଇଁ ନିଜକୁ ଦାୟୀ କରି ପୁଣି ଅଧକ୍ଷ ହେବାକୁ ରାଜି ହେଉ ନାହାନ୍ତି। ତେବେ ରାହୁଲଙ୍କୁ ମନେଇବା ପାଇଁ ବହୁ ନେତା ଚେଷ୍ଠା କରୁଥିବା ଜଣା ପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ। ସୋମବାର ସେ ଏ ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ‘ ଦଳର କର୍ମକର୍ତ୍ତାଙ୍କ ଭାବାବେଗକୁ ବିଚାର କରି ରାହୁଲ ଗାନ୍ଧୀ ଏହି ଦାୟିତ୍ୱକୁ ଗ୍ରହଣ କରିବା ଉଚିତ୍।’ ସେ କହିବାକୁ ଚାହିଁଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଦାୟିତ୍ୱ ନେବାକୁ ମନା କରନ୍ତି ତେବେ ଏହା ଦେଶର ସମସ୍ତ କଂଗ୍ରେସ କର୍ମୀଙ୍କୁ ନିରାଶ କରିବ। ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦଳ ଭିତରେ ସମର୍ଥନ ରହିଛି ବୋଲି ଗେହେଲୋଟ କହିଛନ୍ତି।
ସୂଚନା ଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି କଂଗ୍ରେସ ନିର୍ବାଚନ ଅଧିକାରୀ କହିଛନ୍ତି।