
ଗିରଫ ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ଅଭିଯୁକ୍ତ ମାଓ ଦମ୍ପତି। ମାଓବାଦୀ ଡିଭିଜନ କମିଟିର ପୂର୍ବତନ ସମ୍ପାଦକ ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତା ପତ୍ନୀ ଫୁଲବତୀକୁ ଗିରଫ କରିଛି ବିଶାଖାପାଟଣା ପୁଲିସ । ଉଭୟ ପ୍ରାୟ ୨୦ବର୍ଷ ଧରି ମାଲକାନଗିରି ଓ ଆଖାପାଖ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଏମାନେ ଚିତ୍ରକୋଣ୍ଡା ଜଳଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ ଜଣଙ୍କୁ ହତ୍ୟା, ବିଏସଏଫ ଯବାନଙ୍କୁ ଆକ୍ରମଣ, କାଲିମେଳ ତେଲରାଇ ଆକ୍ରମଣରେ ୧୧ ଜଣ ପୁଲିସଙ୍କୁ ହତ୍ୟା ଭଳି ବହୁ ଘଟଣାରେ ଜଡିତ ଥିଲେ । ମାଲକାନଗିରି ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥଲା ଏମାନଙ୍କ ନାମ । ବାଲେମ ନାରାୟଣ ନାମରେ ୨୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ବର୍ତ୍ତମାନ ଦାମୋଦର ଆନ୍ଧ୍ର ଓଡିଶା ସ୍ୱତନ୍ତ୍ର ଜୋନାଲ କମିଟିରେ କାର୍ଯ୍ୟ କରୁଛି । ସେ ଆନ୍ଧ୍ର ଓ ଓଡ଼ିଶାର ଶହେରୁ ଅଧିକ ହିଂସାରେ ଜଡ଼ିତ ଅଛି । ଏବେ ସେ ମ୍ୟାଲେରିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗୁଡେମ ଥାନା ଅଦିରି ବିଡି ଗାଁରୁ ତାଙ୍କୁ ଗିରଫ କରାଯାଇଛି ।