କରୋନା ସମୟରେ ଫିଲ୍ମ, ସିରିଏଲ୍ ସୁଟିଂ ଉପରେ ରୋକ୍ ଲଗାଇଲେ ଓଡ଼ିଶା ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: କରୋନାର ତୃତୀୟ ଲହର ଏବେ ଘାତକ ସାଜିଛି । ଲକ୍‌ଡାଉନ୍‌, ଶଟଡାଉନ୍‌ କଟକଣା ସତ୍ତ୍ୱେ ନା କମୁଛି ସଂକ୍ରମିତଙ୍କ ସଂଖ୍ୟା ନା ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ। ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏବେ ସିରିଏଲ ବା ଚଳଚ୍ଚିତ୍ର ସୁଟିଂ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର ଆଜି ଏ ନେଇ SRCଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ସୁଟିଂ ସେଟ୍‌ରେ ଏକାଧିକ ଲୋକଙ୍କ ସମାଗମ ହେଉଥିବାରୁ ସମସ୍ତ ପ୍ରକାର ଇନ୍‌ଡୋର, ଆଉଟଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତବର୍ଷ ମଧ୍ୟ କରୋନା କାରଣରୁ ସବୁ ପ୍ରକାର ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ଅନୁଗୋଳ ଜିଲ୍ଲାରୁ ୭୦୦ ଜଣ ଅଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛି।

Related Posts