
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶର ଏବେ କୋଭିଡ୍ ର ନୂତନ ହଟସ୍ପଟ୍ ପାଲଟିଛି କର୍ଣ୍ଣାଟକ। ରାଜ୍ୟରେ ଚିକିତ୍ସା ସେବା ତଥା ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି। ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ୍ ଲଗାଇଛନ୍ତି। ଯାହା ଫଳରେ ଗାଡ଼ି ଚଳାଚଳ ଠପ୍ । ଆଉ ପ୍ରାଇଭେଟ ଗାଡି ବିନା ଡାକ୍ତରଖାନାରେ ପହଞ୍ଚିବା କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତି ମଧ୍ୟରେ କାଲାବୁରାଗିର ଅଟୋ ଡ୍ରାଇଭର ଏବେ ଅସହାୟଙ୍କ ସାହାର ସାଜିଛନ୍ତି। ଆମ୍ବୁଲାନ୍ସ ବୁକ୍ କରିବାରେ ଅସମର୍ଥ COVID-19 ରୋଗୀଙ୍କ ପାଇଁ ମାଗଣା ଅଟୋ ସେବା ଆରମ୍ଭ କରିଛି । ଅଟୋ ଡ୍ରାଇଭର – ଆକାଶ ଡେନୁର କହିଛନ୍ତି ଯେ ତାଙ୍କ ଲକ୍ଷ୍ୟ ଥିଲା ସୈନିକ ହୋଇ ସୀମାରେ ଦେଶ ପାଇଁ ସେବା କରିବା । ଯେହେତୁ ସେହି ସ୍ୱପ୍ନ ସାକାର ହୋଇପାରିଲା ନାହିଁ, ସେ ମହାମାରୀ ଭଳି ସଙ୍କଟ ସମୟରେ ଅସହାୟ ଲୋକମାନଙ୍କୁ ମାଗଣାରେ ସେବା ଯୋଗାଇଦେବା ପାଇଁ ସ୍ଥିର କଲେ । ସେ କହିଛନ୍ତି, ” ଲକଡାଉନ୍ ହେତୁ ସେଠାରେ ଆମ୍ବୁଲାନ୍ସ ହେଉ କିମ୍ବା ଅଟୋ ହେଉ, ସୁବିଧାର ଅଭାବ ରହିଛି। ସେଥିପାଇଁ ମୁଁ ମାଗଣା ସେବା ଯୋଗାଇ ଦେଉଛି। ମୁଁ ଚାରି ବର୍ଷ ଧରି ଅଟୋ ଚଳାଉଥିଲି। ମୋର ସେନାରେ ଯୋଗଦେବାର ସ୍ୱପ୍ନ ଥିଲା କିନ୍ତୁ ଏହା ପୂରଣ ହୋଇପାରିଲା ନାହିଁ ତେଣୁ ମୁଁ ଏହି ସଙ୍କଟ ସମୟରେ ଅସହାୟଙ୍କୁ ସହାୟତା ଯୋଗାଇ ଦେଉଛି। ”

ଡେନୁର୍ ଆହୁରି ମଧ୍ୟ କହିଛନ୍ତି ଯେ , “ମୁଁ ଗତ କିଛି ଦିନ ହେବ ଏହି କାମ କରିଆସୁଛି। ଯେଉଁମାନେ ମୋର ସେବା ଆବଶ୍ୟକ କରନ୍ତି ସେମାନେ ମୋତେ କେବଳ କଲ କରନ୍ତି , ମୁଁ ସେମାନଙ୍କ ଘରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦିଏ । ଜନସାଧାରଣ ପ୍ରକୃତରେ ଯନ୍ତ୍ରଣା ଭୋଗୁଛନ୍ତି ,ତେଣୁ ମୁଁ ଅତି କମ୍ ରେ ଏତିକି ତ ସାହାଯ୍ୟ କରିପାରେ। ” ଗତ ଦୁଇ ଦିନ ମଧ୍ୟରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ଅତିକ୍ରମ କରି ଦେଶରେ ସର୍ବାଧିକ ଆକ୍ଟିଭ କେସ୍ (5,98,625) ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 15,10,557 ଲୋକ କୋଭିଡ୍ ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 21,085 ଲୋକ ପ୍ରାଣ ହରାଇଛନ୍ତି।