ସୋନିଆ ଗାନ୍ଧୀଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ପଚରା ଉଚରା କରିବ ଇଡି, ସେପଟେ ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ସତ୍ୟାଗ୍ରହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋନିଆ ଗାନ୍ଧୀଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ପଚରା ଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିବା ପାଇଁ ଯାଉଛି ଇଡି । ତାଙ୍କୁ ଜୁଲାଇ ୨୫ରେ ହାଜର ହେବା ଲାଗି ପୂର୍ବରୁ ଇଡି ସମନ୍‌ ଜାରି କରିଥିଲା । କିନ୍ତୁ ପରେ ଏହାକୁ ଜୁଲାଇ ୨୬ ଧାର୍ଯ୍ୟ କରାଯାଇଥିଲା ।ଜୁଲାଇ ୨୧ରେ ୭୫ ବର୍ଷୀୟା ସୋନିଆଙ୍କୁ ଇଡି ତଦନ୍ତକାରୀ ଅଧିକାରୀମାନେ ଏହି ମାମଲାରେ ପ୍ରଥମ ଥର ପାଇଁ ସମୟ ଧରି ଜେରା କରିଥିଲେ। ଏହି ଜେରା ପାଖାପାଖି ଦୁଇଘଣ୍ଟାରୁ ଊଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ସୋନିଆ ୨୮ଟି ପ୍ରଶ୍ନର ଉତ୍ତର ଦେଇଥିଲେ । ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ରର ମୁଖ୍ୟ କମ୍ପାନି ୟଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ସୋନିଆଙ୍କୁ ଦ୍ଵିତୀୟ ଥର ଜେରା କରିବ । ପୂର୍ବରୁ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ଜେରା କରି ସାରିଛି ।

ସେପଟେ ଏହି ଜେରାକୁ ବିରୋଧ କରି ଦେଶବ୍ୟାପୀ ସତ୍ୟାଗ୍ରହ ଘୋଷଣା କରିଛି କଂଗ୍ରେସ। ଆଜି ସମସ୍ତ ରାଜ୍ୟରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରି ଏହାର ପ୍ରତିବାଦ କରିବ କଂଗ୍ରେସ୍ । ରାଜ୍ୟ କଂଗ୍ରେସ ସଭାପତି ଶରଦ ପଟ୍ଟନାୟକ ମଧ୍ୟ ରାଜ୍ୟରେ ସତ୍ୟାଗ୍ରହର ଘୋଷଣା କରିଛନ୍ତି। ଏହି ସତ୍ୟାଗ୍ରହରେ ଦଳର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ମାନେ ଯୋଗଦେବେ ବୋଲି ଶରଦ କହିଛନ୍ତି । ସୂଚନା ଥାଉକି ସୋନିଆଙ୍କୁ ଗତ ୨୧ ତାରିଖରେ ଏହି ମାମଲାରେ ପ୍ରଥମ ଥର ଜେରା କରିଥିଲା ଇଡି। ସେହିଦିନ ମଧ୍ୟ ଦେଶ ବ୍ୟାପି ଆନ୍ଦୋଳନ କରିଥିଲା କଂଗ୍ରେସ। ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ସେହିଦିନ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ଇଡି ଅଫିସ ଅଭିମୁଖେ ଯାଇଥିଲା ଓ ପ୍ରତିବାଦ ସ୍ବରୂପ ଇଡି ଅଫିସ ଘେରାଉ ମଧ୍ୟ କରିଥିଲା।

Related Posts