ପଶ୍ଚିମବଙ୍ଗ: ବୀରଭୂମ ଘରପୋଡ଼ା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ବେଳେ, ଏହି ଘଟଣାକୁ ନେଇ ଫାଇଲ୍‌ ହୋଇଥିବା ‘ଏଫ୍‌ଆଇଆର୍‌’ରେ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ସିବିଆଇ) ୨୧ଜଣ ସନ୍ଦିଗ୍ଧଙ୍କ ନାଁ ଉଲ୍ଲେଖ କରିଛି। ଏହି ମାମଲାର ତଦନ୍ତ ଲାଗି ଶୁକ୍ରବାର ଦିନ କାଲ୍‌କାଟା ହାଇକୋର୍ଟ ‘ସିବିଆଇ’କୁ ନିର୍ଦେଶ ଦେଇଥିଲେ।

‘ଏଫ୍‌ଆଇଆର୍‌’ରେ ‘ସିବିଆଇ’ କହିଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡୁଛି, ଭଦୁ ଶେଖ୍‌ଙ୍କ ହତ୍ୟାର ପ୍ରତିଶୋଧ ନେବା ନିମନ୍ତେ ଏଭଳି ହିଂସାକାଣ୍ଡ ସଙ୍ଗଠିତ କରାଯାଇଥିଲା। ‘ତୃଣମୂଳ କଂଗ୍ରେସ’ର ଭଦୁ ଶେଖ୍‌ ଥିଲେ ସ୍ଥାନୀୟ ପଞ୍ଚାୟତର ‘ଉପ-ପ୍ରଧାନ’। ଏହି ‘ଏଫ୍‌ଆଇଆର୍‌’ରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୭୦/୮୦ଜଣ ଉଦ୍‌ଭ୍ରାନ୍ତ ତଥା ଉତ୍ତ୍ୟକ୍ତ ଜନତା ଉକ୍ତ ଘରଗୁଡ଼ିକୁ ଭଙ୍ଗାରୁଜା କରି ସେଥିରେ ବାସ କରୁଥିବା ବ୍ୟକ୍ତିମାନଙ୍କୁ ମାରିବା ପାଇଁ ନିଆଁ ଲଗାଇ ଦେଇଥିଲେ।

ଆଜି ‘ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ପୋଲିସ୍‌’ (ଡିଆଇଜି) ଅଖିଳେଶ ସିଂହଙ୍କ ନେତୃତ୍ବରେ ୧୫ଜଣିଆ ‘ସିବିଆଇ’ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ‘ସିବିଆଇ’ର ‘ସେଣ୍ଟ୍ରାଲ୍‌ ଫୋରେନ୍‌ସିକ୍‌ ସାଇନ୍‌ସେସ୍‌ ଲାବ୍ରଟରି’ ଫୋରେନ୍‌ସିକ୍‌ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିବା ସହିତ ସେମାନେ ପୋଡ଼ି ଯାଇଥିବା ଘରଦ୍ବାର ସବୁ ଦେଖିଥିଲେ।

ସୂଚନାଯୋଗ୍ୟ, ମାର୍ଚ ୨୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଅନ୍ତର୍ଗତ ବୋଗତୁଇ ଗାଁରେ ଦୁର୍ବୃତ୍ତମାନେ ୧୦ଟି ଘରେ ନିଆଁ ଲଗାଇ ଦେବାରୁ ମହିଳା ଓ ପିଲାଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।