ଶ୍ରୀଲିଙ୍ଗରାଜଙ୍କ ୫୦ କୋଟି ଜମିରେ ଚଞ୍ଚକତା ଅଭିଯୋଗ , ଦେବୋତ୍ତର ଜମିରେ ବିଏମ୍‌ସିର ଅନଧିକାର ହସ୍ତକ୍ଷେପକୁ ଏକାମ୍ର ଜନ ଜାଗରଣ ମଞ୍ଚର ବିରୋଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଗୌତମନଗର ମୌଜାରେ ଥିବା ଶ୍ରୀଲିଙ୍ଗରାଜଙ୍କ ରାଜସ୍ୱ ଖାତାରୁ ପ୍ରାୟ ଅଧଏକର ଜମି ଜଣେ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି। ଦେବୋତ୍ତର ଜମିରେ ବିଏମ୍‌ସିର ଅନଧିକାର ହସ୍ତକ୍ଷେପକୁ ବିରୋଧ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ଦେବୋତ୍ତର ବିଭାଗ ଏ ମାମଲାରେ କାହିଁକି ନିରବଦ୍ରଷ୍ଟା ସାଜିଛି ତାକୁ ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପ୍ରଶ୍ନ ଉଠାଇଛି । ଏହାର ବିରୋଧରେ ମଞ୍ଚର ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ୱରେ ଦେବୋତ୍ତର ଆୟୁକ୍ତଙ୍କ ଦପ୍ତର ଘେରାଉ କକରାଯାଇଛି । ଦେବୋତ୍ତର ବିଭାଗ ତୁରନ୍ତ ଏ ମାମଲାରେ ହସ୍ତକ୍ଷେପ କରି ଏହା ଉପରେ ରୋକ ଲଗାଇବାକୁ ଦାବି କରିଛି। ତେବେ ଅଭିଯୋଗ ହୋଇଛି ଯେ, ଶ୍ରୀଲିଙ୍ଗରାଜଙ୍କ ଏକ ବିବାଦୀୟ ଜମି ଉପରେ ସଂପୃକ୍ତ ବ୍ୟବସାୟୀ ଯାତ୍ରୀନିବାସ କରିଛନ୍ତି । ଏହି ଯାତ୍ରୀନିବାସ ନିର୍ମାଣସ୍ଥଳୀ ଜମିର ସାବକ ରେକର୍ଡ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଥିବାବେଳେ ଏହାକୁ ଚଞ୍ଚକତା ପୂର୍ବକ ବଦଳାଇ ହାଲ ରେକର୍ଡରେ ଘରୋଇ କରି ଦିଆଯାଇଛି ।

ଏହି ଯାତ୍ରୀନିବାସ ଜମି ଏକାମ୍ର ଯୋଜନାରେ ଅଧିଗୃହିତ ହେବାକୁ ଚିହ୍ନଟ ହୋଇଛି । କିନ୍ତୁ ଅଧିଗ୍ରହଣ ଦାୟିତ୍ୱରେ ଥିବା ବିଏମ୍‌ସି ଅଧିକାରୀ ଏହାର ସ୍ୱତ୍ତ୍ୱାଧୀକାର ସଠିକ୍ ଭାବେ ଯାଞ୍ଚ ନକରି ସଂପୃକ୍ତ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବା ଲାଗି ଯୋଗ୍ୟ ବିବେଚିତ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଛି। କ୍ଷତିପୂରଣ ସ୍ୱରୂପ ସାନିଟୋରିୟମ ଛକ ନିକଟରେ ଶ୍ରୀଜିଉଙ୍କ ଖୋଦ ଦଖଲ ରେକର୍ଡଭୁକ୍ତ ଜମିରୁ ୪୬୨ ଡେସିମିଲ ଦେବାକୁ ଶ୍ରୀଲିଙ୍ଗରାଜ ପ୍ରଶାସନକୁ ଚିଠି ଲେଖିଛନ୍ତି । ଏଥିରେ ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ସହମତି ପ୍ରକାଶ ନକରିବାରୁ ତାଙ୍କୁ ତରବରିଆ ଭାବେ ବଦଳି କରି ଦିଆଯାଇଥିବା କୁହାଯାଉଛି ।

କ୍ଷତିପୂରଣ ଭରଣା ବାବଦରେ ଜମି ବଦଳରେ ଜମି ଏକାମ୍ର ଯୋଜନାରେ କାହାକୁ ଦିଆଯାଇନାହିଁ । ସେଥିରେ ଏକ ବିବାଦୀୟ ଜମି ଉପରେ ସଂପୃକ୍ତ ବ୍ୟବସାୟୀଙ୍କୁ କ୍ଷତିପୂରଣ ବାବଦରେ ଶ୍ରୀଜିଉଙ୍କ ଜମି ଦେବାକୁ ବିଏମସି କାହିଁକି ଜିଦ୍ ଧରିଛି ଏବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକାମ୍ର ଜନଜାଗରଣ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଲୋକେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରି ଆସୁଛନ୍ତି। ଏଥିପାଇଁ ଆନ୍ଦୋଳନ ମଧ୍ୟ ହେଉଛି। ଏହା ମଧ୍ୟରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡରେ ବିଏମ୍‌ସି ଚିଠି ପହଞ୍ଚିବାର ପ୍ରାୟ ୨ ସପ୍ତାହ ବିତି ଯାଇଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର ବିଭାଗ ଏଯାଏ ନିଜ ଆଡ଼ୁ କୌଣସି ପଦକ୍ଷେପ ନେଉ ନଥିବା କାରଣରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Related Posts