ମାମଲା ନୀତି କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ହ୍ରାସ ପାଉନି ମାମଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଉଥିବା ମୋକଦ୍ଦମା ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ୧୦ବର୍ଷ ତଳେ ରାଜ୍ୟ ମାମଲା ନୀତି ପ୍ରଣୟନ କରାଯାଇଥିଲା। କିନ୍ତୁ ଏହି ନୀତି ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ମାମଲା ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ୨ଗୁଣ ପାଖାପାଖି ବୃଦ୍ଧି ପାଇଛି। ଏହି କାରଣରୁ ଉଭୟ ଆଇନ୍‍ ଅଦାଲତ ସମେତ ରାଜ୍ୟ ସରକାର ଓ ମାମଲାରେ ଛନ୍ଦି ହେଉଥିବା ଲୋକଙ୍କ ଉପରେ ମଧ୍ୟ ଚାପ ବଢି ଚାଲିଛି ।

ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ କେନ୍ଦ୍ର ସରକାର ଜାତୀୟ ମାମଲା ନୀତି ପ୍ରଣୟନ କରିଥିଲେ। ଏହା ପରେ ୨୦୧୧ ମଇ ୩୧ ତାରିଖରେ ଓଡିଶା ସରକାର ପ୍ରସ୍ତୁତ କରିଥିବା ରାଜ୍ୟ ମାମଲା ନୀତି ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇଥିଲା । ଏଥିରେ ଲୋକଙ୍କ ଆପତ୍ତି ଅଭିଯୋଗର ସମାଧାନ ପାଇଁ ‘ଗ୍ରିଭାନ୍ସ ରିଡ୍ରେସାଲ ମେକାନିଜିମ୍‍’କୁ ସୁଦୃଢ କରିବା ସହ ଅଦାଲତ ଉପରୁ ମାମଲା ବୋଝ କମାଇବା ଏବଂ ମାମଲାଗୁଡିକର ସମୀକ୍ଷା ସହିତ ଭଲ ମାମଲାଗୁଡିକୁ ଠିକଣା ଭାବେ ପରିାଚାଳନା ଲାଗି ଅନେକଗୁଡ଼ିଏ ପ୍ରାବଧାନ ରଖାଯାଇଛି ।

ରାଜ୍ୟ ମାମଲା ନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗରେ ସଚିବମାନଙ୍କ କ୍ଷେତ୍ରରେ ଏବଂ ସବୁ ଜିଲ୍ଲାରେ ଜିଲ୍ଲପାଳମାନଙ୍କୁ ନେଇ ମଧ୍ୟ ଅନୁରୂପ କମିଟି ସବୁ ଗଠନ କରାଯାଇଥିଲା । ତେବେ ଏହି କମିଟିଗୁଡିକ ବର୍ଷ ବର୍ଷ ଧରି କାମ କରୁ ନଥିବାରୁ ମାମଲା ରୁଜୁ କେବଳ ଫାଇଲରେ ବାନ୍ଧିହୋଇ ରହିଯାଇଛି ।

ବର୍ତ୍ତମାନ ଓଡିଶାରେ ପ୍ରାୟ ୧୫ଲକ୍ଷ ଫୌଜଦାରୀ, ଦେୱାନି, ରାଜସ୍ୱ, ଚାକିରି ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ ମାମଲା ବିଚାରାଧୀନ ରହିଛି । ସୂଚନା ମୁତାବକ ଛଅ ଲକ୍ଷରୁ ଅଧିକ ମାମଲା ୫ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡିଛି । ଯେହେତୁ ଅଧିକାଂଶ ମାମଲାରେ ସରକାର ପକ୍ଷ ଭୁକ୍ତ ରହିଥିବା କାରଣରୁ ମାମଲାଗୁଡିକର ତ୍ୱରିତ ଫଏସଲା ସରକାରଙ୍କ ଉପରେ ନିର୍ଭର କରିଥାଏ ।

ରାଜ୍ୟ ମାମଲା ନୀତି ଅନୁସାରେ ଯେଉଁ ପ୍ରସଙ୍ଗରେ ଆଇନ୍‍ ଅଦାଲତ ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି ଓ ତାହାକୁ ସରକାର ଗ୍ରହଣ କରିସାରିଛନ୍ତି ସେହି ପ୍ରସଙ୍ଗରେ ଆଉ ଅଧିକ ମାମଲା ନବଢାଇ ଅଭିଯୋଗକାରୀମାନଙ୍କୁ ବିଭାଗୀୟ ସ୍ତରରେ ନ୍ୟୟ ଦିଆଯିବା ଦରକାର । ସେହିଭଳି ନିଯୁକ୍ତି ପେନ୍‍ସନ ଠାରୁ ଆରମ୍ଭକରି ଚାକିରି ସଂକ୍ରାନ୍ତୀୟ ଅନ୍ୟାନ୍ୟ ବ୍ୟାପାରରେ ଅଭିଯୋଗଗୁଡିକର ନିରପେକ୍ଷ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଇନ୍‍ ଅଦାଲତରେ ଏ ସଂକ୍ରାନ୍ତୀୟ ମାମଲାର ହ୍ରାସପାଇବ ।

ସୂଚନା ମୁତାବକ ଓଡିଶାରେ ଚାକିରି ଏବଂ ପେନସନ ସମ୍ବନ୍ଧୀୟ ପ୍ରାୟ ଏକ ଲକ୍ଷ ମାମଲା ବିଭିନ୍ନ ଟ୍ରିବୁନାଲ ଓ ଅଦାଲତରେ ବିଚାରଧୀନ ରହିଛି । ଅନେକ ଦେୱାନୀ ମାମଲା ଦୀର୍ଘ ସମୟ ଧରି ଗଡୁଥିବାବେଳେ ବହୁ ଫୌଜଦାରୀ ମାମଲାରେ ଅଭିଯୁକ୍ତ, ସାକ୍ଷୀ ଓ ତଦନ୍ତକାରୀ ଅଫିସରଙ୍କୁ ମତ୍ୟୁପରେ ବି ୨୦ ରୁ ୩୦ବର୍ଷ ଧରି ମାମଲା ବିଚାରାଧୀନ ରହିଛି । ତେବେ ଏ ସମ୍ପର୍କରେ ଆଇନ ବିଶେଷଜ୍ଞଙ୍କ ମତ ହେଉଛି ଯଦି ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯାଇ ମାମଲାଗୁଡିକୁ ପ୍ରତ୍ୟାହାର କରାଯାଏ ତେବେ ଆଇନ୍‍ ଅଦାଲତ ଉପରେ ଚାପ ହ୍ରାସ ପାଇପାରିବ ।

Related Posts